କରୋନା ଆତଙ୍କ ଅତିରଞ୍ଜିତ

ନୂଆଦିଲ୍ଲୀ,୨୬ା୩(ଆଇଏଏନ୍‌ଏସ୍‌) : କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ଭାରତରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଛି। କିନ୍ତୁ ଭାରତରେ ଏହାର ପ୍ରାଦୁର୍ଭାବ ଯେତିକି ନାହିଁ, ତା’ଠୁ ବଳି ଏହାକୁ ନେଇ ଲୋକଙ୍କୁ ଭୟଭୀତ କରାଯାଉଛି। କରୋନା ଭାଇରସ୍‌କୁ ନେଇ କରାଯାଇଥିବା ଏକ ସଦ୍ୟ ସର୍ବେକ୍ଷଣରେ ୬୦% ଭାରତୀୟ ଏଭଳି ମତବ୍ୟକ୍ତ କରିଛନ୍ତି।
ଆଇଏନ୍‌ଏସ୍‌ ସିଭୋଟର-ଗଲୁପ୍‌ ଇଣ୍ଟରନ୍ୟାଶନାଲ ଆସୋସିଏଶନ୍‌ କରୋନା ଟ୍ରାକର ୧ ପକ୍ଷରୁ କରାଯାଇଥିବା ସର୍ଭେରେ ବିଶ୍ୱର ୨୨ ରାଷ୍ଟ୍ରର ୨୦,୦୦୦ ଲୋକଙ୍କ ସାକ୍ଷାତ୍‌କାର ନିଆଯାଇଥିଲା। ‘କରୋନା ଭାଇରସ୍‌ର ଆତଙ୍କ ଏକ ଅତିରଞ୍ଜିତ ବିଷୟ ବୋଲି ମୁଁ ବିଶ୍ୱାସ କରେ’। ଏହି ବିଷୟବସ୍ତୁକୁ ନେଇ ସେମାନଙ୍କ ମତାମତ ପଚରାଯାଇଥିଲା। ଏହି ପ୍ରଶ୍ନର ଉତ୍ତରରେ ୪୨% ଭାରତୀୟ ଦୃଢ଼ ଭାବେ ସହମତ ଥିବା କହିଥିବାବେଳେ ୧୨% ଏଥିରେ ଏକମତ ବୋଲି ରାଜି ହୋଇଥିଲେ। ସେହିପରି ୩୫% ଭାରତୀୟ କରୋନା ଭାଇରସ୍‌ ଆତଙ୍କକୁ ଅତିରଞ୍ଜିତ ନୁହେଁ ବୋଲି କହିଥିଲେ।
ଅନ୍ୟପକ୍ଷରେ ଇଟାଲୀରେ ୨୯%, ପାକିସ୍ତାନରେ ୬୨%, ଫ୍ରାନ୍ସରେ ୧୭%, ବ୍ରିଟେନରେ ୨୬% ଓ ଆମେରିକାରେ ୫୫% ଲୋକ କରୋନା ଭୂତାଣୁ ସଂକ୍ରମଣର ଭୟାବହତାକୁ ଅତିରଞ୍ଜିତ ନୁହେଁ ବୋଲି ମତ ଦେଇଥିଲେ। ୬୭% ଇଟାଲୀୟ ଓ ୭୯% ଫ୍ରେଞ୍ଚ୍‌ ଉପରୋକ୍ତ ବିଷୟବସ୍ତୁ ସହ ରାଜି ହୋଇ ନ ଥିଲେ।

Share