Categories: ଜାତୀୟ

କରୋନା ମୁକାବିଲା ଲାଗି ପ୍ରସ୍ତୁତ କି ଭାରତୀୟ ସ୍ବାସ୍ଥ୍ୟ ସେବା: ୧୦,୭୦୦ ଲୋକଙ୍କ ପାଇଁ ଜଣେ ଡାକ୍ତର

ନୂଆଦିଲ୍ଲୀ,୪।୩: ଭାରତରେ କରୋନା ସଂକ୍ରମଣ ନେଇ ସତର୍କତା ଜାରି ହୋଇଛି। ଏପରିସ୍ଥଳେ ଭାରତୀୟ ସ୍ବାସ୍ଥ୍ୟ ସେବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଜାତୀୟ ସ୍ବାସ୍ଥ୍ୟ ପ୍ରୋଫାଇଲ୍‌ ୨୦୧୯ ରିପୋର୍ଟ ଅନୁସାରେ ଭାରତରେ ପ୍ରାୟ ୨୫,୭୭୮ ସରକାରୀ ହସ୍ପିଟାଲ ରହିଛି। ଏଠାରେ ୭ ଲକ୍ଷ ୧୩ ହଜାର ଶଯ୍ୟା ଅଛି।  ୧୦,୭୦୦ ରୋଗୀଙ୍କ ପାଇଁ ଦେଶରେ ହାରାହାରି ଜଣେ ଡାକ୍ତର, ୬ଟି ଶଯ୍ୟା ଏବଂ ୧୬ ଜଣ ନର୍ସ ଉପଲବ୍ଧ ହୋଇଥାନ୍ତି। ସେହିପରି ହାରାହାରି ୪୭ ହଜାର ଲୋକଙ୍କ ଚିକିତ୍ସା ଲାଗି ଗୋଟିଏ ହସ୍ପିଟାଲ ରହିଛି। ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜରାଟ, ଛତିଶଗଡ଼ରେ ଦେଶର ୨୧ ପ୍ରତିଶତ ଜନସଂଖ୍ୟା ବାସ କରନ୍ତି। ତେବେ ଏସବୁ ଅଞ୍ଚଳରେ ୧ଲକ୍ଷ ଲୋକଙ୍କ ପିଛା ପ୍ରାୟ ଗୋଟିଏ ବି ହସ୍ପିଟାଲ ପଡୁନିି। ଦିଲ୍ଲୀର ୧ ଲକ୍ଷ ୫୦ ହଜାର ଲୋକଙ୍କ ପିଛା ଗୋଟିଏ ହସ୍ପିଟାଲ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ସେହିପରି ମହାରାଷ୍ଟ୍ରରେ ଲକ୍ଷେ ୬୦ ହଜାର, ମଧ୍ୟପ୍ରଦେଶରେ ଲକ୍ଷେ ୫୬ ହଜାର, ଗୁଜରାଟରେ ଲକ୍ଷେ ୩୭ ହଜାର, ଛତିଶଗଡ଼ରେ ଲକ୍ଷେ ୧୯ ହଜାର ଲୋକଙ୍କ ପିଛା ଗୋଟିଏ ଲେଖାଏଁ ହସ୍ପିଟାଲ ରହିଛି। ତେବେ ଅରୁଣାଚଳ ପ୍ରଦେଶ ଏବଂ ହିମାଚଳପ୍ରଦେଶରେ ଏହି ସଂଖ୍ୟା ଯଥାକ୍ରମେ ୬,୩୦୦ ଏବଂ ୮,୫୭୦ ରହିଛି। ଦେଶରେ ପ୍ରାୟ ୧,୧୬,୭୫୭ ଜଣ ଏଲୋପ୍ୟାଥିକ ଡାକ୍ତର ଅଛନ୍ତି। ସ୍ବାସ୍ଥ୍ୟ ସେବାରେ ଡାକ୍ତରଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଆନୁମାନିକ ୨୦ ଲକ୍ଷ ୫୦ ହଜାର ନର୍ସ ରହିଛନ୍ତି। ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ସଚେତନତା ଏବଂ କିଛି ବିଦେଶୀ ରାଷ୍ଟ୍ର ଉପରେ ଯାତାୟାତ ନେଇ କଡ଼ା କଟକଣା ଜାରି ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୫ରେ ହୋଇଥିବା ସ୍ବାଇନ୍‌ ଫ୍ଲୁରେ ୪୨,୫୯୨ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨,୯୯୦ ଜଣଙ୍କର ମୃତ୍ୟୁ ଘଟିଥିଲା।

Share