କରୋନାରୁ ଶିକ୍ଷା

ପ୍ରାକୃତିକ ହେଉ ବା ମନୁଷ୍ୟକୃତ ବିପର୍ଯ୍ୟୟରୁ ମଣିଷ ବହୁ କଥା ଶିଖିଥାଏ। ଆଜି କୋଭିଡ୍‌-୧୯ ରୋଗ ଲୋକଙ୍କ ମନରେ ଭୟ ସୃଷ୍ଟି କରିଦେଇଛି। ୨୦୧୯ ଶେଷ ଆଡ଼କୁ ଚାଇନାରୁ ବାହାରିଥିବା ଏହି ଭୂତାଣୁ ଯୋଗୁ ବିଶ୍ୱରେ ଅଦ୍ୟାବଧି ୭୬,୩୧୫ ଜଣଙ୍କ ପ୍ରାଣହାନି ଘଟିସାରିଲାଣି। ଦେଖିବାକୁ ଗଲେ ପ୍ରତିବର୍ଷ ଏହି ସମୟରେ ଥଣ୍ଡା, କାଶ, ଜ୍ୱର, ମ୍ୟାଲେରିଆ, ଯକ୍ଷ୍ମା ଆଦି ରୋଗରେ ପୀଡ଼ିତ ହୋଇ ଅନେକ ଲୋକଙ୍କ ମୃତ୍ୟୁ ଘଟିଥାଏ। ହେଲେ କୌଣସି ଦେଶ ତା’ର ସାମଗ୍ରିକ ରିପୋର୍ଟ ପ୍ରସ୍ତୁତ କରୁନାହିଁ। ସମ୍ଭବତଃ ଏସବୁକୁ ସାଧାରଣ ସ୍ତରର ରୋଗ ଭାବେ ଦେଖାଯାଉଛି। ସେହି ଦୃଷ୍ଟିରୁ ଚିନ୍ତା କଲେ ଉପରଲିଖିତ କରୋନାଜନିତ ମୃତ୍ୟୁସଂଖ୍ୟା ସେଭଳି ଭୟ ସୃଷ୍ଟି କରିବା କଥା ନୁହେଁ। ୬ ଏପ୍ରିଲରେ ‘ଧରିତ୍ରୀ ଲାଇଭ୍‌’ରେ ପ୍ରସାରିତ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତି ଆରୋଗ୍ୟ ହେବା ପରେ ଦେଇଥିବା ଭିଡିଓ ବାର୍ତ୍ତାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏହି କୋଭିଡ୍‌-୧୯ ରୋଗ ଆଦୌ ଭୟ ସୃଷ୍ଟି କରିବା କଥା ନୁହେଁ। ଦେଖିବାକୁ ଗଲେ ଭାରତରେ ପ୍ରତ୍ୟେକ ବର୍ଷ ଅନାହାର ଯୋଗୁ କେବଳ ୩ ଲକ୍ଷ ଶିଶୁଙ୍କ ମୃତ୍ୟୁ ଘଟିଥାଏ। ୨୦୧୮ରେ ଅନାହାର ମୃତ୍ୟୁ ସଂକ୍ରାନ୍ତ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଥିଲା। ସେହିଭଳି ପଞ୍ଜାବଠାରୁ ଆରମ୍ଭକରି ଓଡ଼ିଶାର ବରଗଡ଼ ଜିଲା ପର୍ଯ୍ୟନ୍ତ କର୍କଟ ରୋଗରେ ଆକ୍ରାନ୍ତ ଅନେକ ଶହ ଲୋକଙ୍କ ମୃତ୍ୟୁ ପ୍ରତିବର୍ଷ ଘଟୁଛି। କେବଳ ତଫାତ୍‌ ହେଉଛି ଯେ, କୋଭିଡ୍‌ ଭାଇରସ୍‌ ସଂକ୍ରାମକ। ସେଥିପାଇଁ ସାଧାରଣରେ ଅତ୍ୟଧିକ ମାତ୍ରାରେ ଭୟ ସୃଷ୍ଟି ହେଉଛି। ଅନ୍ୟପଟେ ଏହା ମଧ୍ୟ ଜଣାପଡ଼ିଛି ଯେ, ଏହି ଭାଇରସ୍‌ ଦ୍ୱାରା ସଂକ୍ରମିତ ଅଧିକାଂଶ ବ୍ୟକ୍ତି ଆରୋଗ୍ୟ ହେଉଛନ୍ତି। ଏଥିସହିତ ଅନେକଙ୍କୁ ଏହି ସଂକ୍ରମଣ ଗ୍ରାସ କରିଥିବା ସତ୍ତ୍ୱେ ସେମାନେ ତାହାର ପ୍ରଭାବ ଜାଣିବାରେ ଅକ୍ଷମ। ଅର୍ଥାତ୍‌ ଆମ ଭିତରୁ ଅନେକଙ୍କୁ ଏହି ଭୂତାଣୁ ଧରିସାରି ଛାଡ଼ି ଦେଲାଣି ଏବଂ ଆମେ ସେ ସମ୍ପର୍କରେ କିଛି ଜାଣିପାରି ନାହୁଁ।
ଏହି ପରିପ୍ରେକ୍ଷୀରେ ଭାରତକୁ ଦେଖାଯାଉ। ଏଠାରେ ଅନେକ ଲୋକ ଅମାନିଆ ହେବାକୁ ପସନ୍ଦ କରିଥାଆନ୍ତି। ଭିଡ଼ ସେମାନଙ୍କୁ ସୁହାଇଥାଏ। ରାସ୍ତାରେ ଛେପ ଓ ପାନଛେପ ପକାଇବାରେ ଆନନ୍ଦ ପାଇଥାଆନ୍ତି। ପାଇଖାନା ବ୍ୟବହାର କରିବା ପରେ ସାମାନ୍ୟ ଦାୟିତ୍ୱ ପାଳନ ନ କରି ଅନେକେ ତାହାକୁ ଅପରିଷ୍କାର କରି ଛାଡ଼ିଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥାଏ। ବସ୍‌ଷ୍ଟାଣ୍ଡଠାରୁ ଆରମ୍ଭ କରି ରେଳ ଷ୍ଟେଶନରେ ଭାରତୀୟଙ୍କ ଅପରିଚ୍ଛନ୍ନ ଚରିତ୍ର ସ୍ପଷ୍ଟ ବାରି ହୋଇପଡ଼ିଥାଏ। ଏପରି କି ଉଡ଼ାଜାହାଜରେ ଯାଉଥିବା ଦାମୀ ଲୋକମାନେ ବିମାନ ବନ୍ଦରରେ ଯଥେଷ୍ଟ ଜାଗା ଥିଲେ ମଧ୍ୟ ପରସ୍ପରକୁ ଛୁଇଁଥାଆନ୍ତି। ପାଶ୍ଚାତ୍ୟରେ ଲୋକମାନେ ସାଧାରଣରେ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେଉଥିଲେ ମଧ୍ୟ ଅନେକେ ବ୍ୟକ୍ତିଗତ ସ୍ତରରେ ସ୍ବଚ୍ଛ ହେଉ ନ ଥିବାରୁ ଆଜି ସେଠାରେ ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଛି। ସୁଉଚ୍ଚ କୋଠା, ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା, କଳା ମଚମଚ ରାସ୍ତା, ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବୈଷୟିକ ବିକାଶ ଭଳି ଯେତେ ପ୍ରକାର ଭିତ୍ତିଭୂମି ଉନ୍ନତି କରାଯାଇଥିଲେ ମଧ୍ୟ ମଣିଷ ଶୃଙ୍ଖଳା ବଜାୟ ନ ରଖିବାରୁ ଆଜି କୋଭିଡ୍‌ କବଳରେ ପଡ଼ି ମାନସିକ ସ୍ତରରେ ହନ୍ତସନ୍ତ ହେଉଛି। ଏହି ରୋଗରେ ମରିବା ସୁନିଶ୍ଚିତ ନ ଥିଲେ ମଧ୍ୟ ଆମ ମଧ୍ୟରୁ ଅନେକେ ଭୟରେ ମରିଯାଉଛୁ। ବିଧିବଦ୍ଧ ଭାବେ ଯେତେ ଥର ଦୋହରା ଯାଉଛି ଯେ ଭୟ କରନାହିଁ, ଲୋକଙ୍କ ଡର ସେତିକି ପରିମାଣରେ ବୃଦ୍ଧି ପାଉଛି। ଏହି ମନୁଷ୍ୟକୃତ ରୋଗ ପାଇଁ ଔଷଧ ବାହାରିପାରି ନାହିଁ। ଏହାକୁ ନିୟନ୍ତ୍ରଣରେ ରଖିପାରିଥିବା ଚାଇନା ଆଜି ତା’ର ପଦ୍ଧତିକୁ ଗୋପନୀୟ ରଖିଆସିଛି। ଅନ୍ୟପକ୍ଷରେ ପ୍ରତ୍ୟେକ ଦେଶ ନିଜର ଗବେଷଣା ଓ ବିକାଶ ବିଭାଗ ବା ଶାଖା ମାଧ୍ୟମରେ ଏହାର ଔଷଧ ବାହାର କରିବା ନିମନ୍ତେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଯେହେତୁ ଔଷଧ ବାହାରିପାରି ନାହିଁ, ସାମାଜିକ ଦୂରତା ଓ ବ୍ୟକ୍ତିଗତ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯାଉଛି। ଏହା ମଧ୍ୟ କୁହାଗଲାଣି ଯେ, ଜଣେ ବ୍ୟକ୍ତି ସୁସ୍ଥ ସବଳ ରହିବା ପାଇଁ ଗ୍ରହଣ କରୁଥିବା ଖାଦ୍ୟ ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣିପାରୁ ନ ଥିବାରୁ ତା’ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଯାଉଛି। ରୋଗଗ୍ରସ୍ତ ବ୍ୟକ୍ତି ଓ ଭୟ ଜର୍ଜରିତ ମଣିଷ କରୋନା ଭଳି ଭୂତାଣୁ କଥା ଶୁଣି ଡରିଗଲେ ସେ ମାନସିକ ସ୍ତରରେ ଅଧିକ ଦୁର୍ବଳ ହୋଇଯାଆନ୍ତି। ମ୍ୟାଲେରିଆ, ଯକ୍ଷ୍ମା ଭଳି ରୋଗ ପାଇଁ ଔଷଧ ଥିଲେ ମଧ୍ୟ ପୃଥିବୀବ୍ୟାପୀ ଅନେକ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେଣୁ କରୋନାକୁ ଭୟ କଲେ ଏହା ଡରାଇ ଚାଲିବ।
କେତେକେ କହୁଛନ୍ତି ଯେ, ମେ ମାସ ଆଡ଼କୁ କୋଭିଡ୍‌-୧୯ ପୃଥିବୀରୁ ବିଦାୟ ନେଇଯିବ। କାରଣ ଖରା ତାପରେ ସେତେବେଳକୁ ଭୂତାଣୁଗୁଡ଼ିକ ମରିଯିବେ। କିନ୍ତୁ ସେଭଳି ଗ୍ୟାରେଣ୍ଟି କେହି ଦେଇପାରିବେ ନାହିଁ। ପୁଣି ଏବେ ଲୋକଙ୍କୁ ୨୦ ସେକେଣ୍ଡ ପାଇଁ ହାତ ଧୋଇବା ଓ ମୁହଁରେ ମାସ୍କ ବା କନା ଗୁଡ଼ାଇବା ସକାଶେ ଅଧିକ ଜୋର ଦିଆଯାଉଛି। ନିଶ୍ଚିତ ଭାବେ ଏହି ପ୍ରତିଷେଧକ ପଦକ୍ଷେପ ନିଆଯିବା ଉଚିତ। ସବୁ ଭଲ କଥାକୁ ମାନିଲେ ଆମେ ନିଜେ ସୁରକ୍ଷିତ ରହିବା। ଅନ୍ୟପଟେ ମନେରଖିବାକୁ ହେବ ଯେ, କୋଭିଡ୍‌-୧୯ ରୋଗ ଏହି ମେ’ ମାସରେ ନୁହେଁ, ସମ୍ଭବତଃ ପୃଥିବୀ ପୃଷ୍ଠରୁ କେବେ ହେଲେ ଯିବ ନାହିଁ। ଗବେଷକଙ୍କ ମତରେ ଏହା ଏକ ସ୍ଥାୟୀ ଭୂତାଣୁ। ମଝିରେ ମଝିରେ ଆସିବ ଓ ପଳାଇଯିବ। ସେଥିପାଇଁ ଡରରେ ମରିବା ପରିବର୍ତ୍ତେ ନିଜ ଜୀବନରେ ଏବଂ ଅନ୍ୟମାନଙ୍କ ସୁରକ୍ଷା ପାଇଁ ସାମାଜିକ ଦୂରତା, ସ୍ବଚ୍ଛତା ଏବଂ ଶୃଙ୍ଖଳିତ ବ୍ୟବହାରକୁ ସ୍ଥାୟୀ ରଖିପାରିଲେ ଆୟୁଷ ଅନୁଯାୟୀ ମୃତ୍ୟୁ ଆସିବ, କିନ୍ତୁ ଅକାଳରେ ଝଡ଼ିପଡ଼ିବା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri