କରୋନାଠାରୁ ସୁରକ୍ଷା ଚିନ୍ତା: ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଟୁଇଟ୍‌,ଓଡ଼ିଆରେ ନାହିଁ ସଚେତନତା

ଭୁବନେଶ୍ୱର,୧୫।୩(ବ୍ୟୁରୋ): ସାରା ବିଶ୍ୱରେ ବର୍ତ୍ତମାନ କରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ମିଳିତ ଭାବେ ମୁକାବିଲା କରିବାକୁ ସମସ୍ତେ ପ୍ରୟାସ ଜାରି ରଖିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ବିପତ୍ତି ବୋଲି ଘୋଷଣା କରିଛନ୍ତି। ଏ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସ୍ବାସ୍ଥ୍ୟ ସମେତ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ କରାଯାଉଛି। ସେହି କ୍ରମରେ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ ଇନ୍‌ଫରମେଶନ୍‌ ଟେକ୍ନୋଲୋଜି ମନ୍ତ୍ରଣାଳୟ ପକ୍ଷରୁ ପରସ୍ପର ହାତ ମିଳାଇବା ପରିବର୍ତ୍ତେ ନମସ୍କାର(ନମସ୍ତେ) କରିବାକୁ ଉଲ୍ଲେଖ କରାଯାଇଛି। ହେଲେ ଆଶ୍ଚର୍ଯ୍ୟର ବିଷୟ, ନମସ୍କାର ମୁଦ୍ରା ସହ ଏକାଧିକ ଭାରତୀୟ ଭାଷାରେ ‘ନମସ୍ତେ’ ଲେଖାଥିବା ଏକ ସଚେତନ ବାର୍ତ୍ତା ଓଡ଼ିଆରେ ଉଲ୍ଲେଖ କରାଯାଇନାହିଁ। କିଛିଦିନ ତଳେ ଭୁବନେଶ୍ୱରସ୍ଥିତ ଏମ୍ସରେ ମଧ୍ୟ ହିନ୍ଦୀ ଭାଷାରେ ସ୍ବାକ୍ଷର ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଧରିତ୍ରୀରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଏହାପରେ ଏମ୍ସ କର୍ତ୍ତୃପକ୍ଷ ସେହି ବିଜ୍ଞପ୍ତିକୁ ଅନ୍ତରୀଣ ବୋଲି ସ୍ପଷ୍ଟୀକରଣ ଦେଇଥିଲେ।