କରୋନାକୁ ହରାଇବାକୁ ପଡିବ: ଭିଡ଼ିଓ କନଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୨।୪: ଦେଶରେ କରୋନା ଭାଇରସ ସଂକ୍ରମଣ ବଢି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ପୁଣିଥରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି। କରୋନା ସହ ଲଢିବାକୁ ମୋଦି ନୂଆ ରଣନୀତି ବିଷୟରେ ଆଲୋଚନା କରିଛନ୍ତି। ଏପର୍ଯ୍ୟନ୍ତ କରୋନା ସଂକ୍ରମଣକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ମଧ୍ୟ ଆଲୋଚନା ହୋଇଛି। କରୋନା ସମ୍ପର୍କିତ ଖବର ଜାଣିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାର ପୋର୍ଟାଲ ତିଆରି କରିବାକୁ ମୋଦି କହିଛନ୍ତି। ଏହି ଆଲୋଚନା ସମୟରେ ମୋଦିଙ୍କ ସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ। ମାର୍ଚ୍ଚ ୨୦ରେ ମଧ୍ୟ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ସମୟରେ କରୋନା ସଂକ୍ରମଣକୁ ରୋକିବାକୁ ଜନତା ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ତାଳମେଳ ରକ୍ଷା କରିବାକୁ କହିଥିଲେ। ଏହାସହ ପ୍ରଶିକ୍ଷିତ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ଚିକିତ୍ସା କ୍ଷେତ୍ରରେ ଆଗକୁ ଆଣିବାକୁ ମଧ୍ୟ କହିଥିଲେ। ସୂଚନାଯୋଗ୍ୟ, ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି।

Share