କରୋନାକୁ ନେଇ ସରକାରୀ କଟକଣାକୁ ଫୁ’: ଓଡ଼ଗାଁରେ ପ୍ରହସନ ପାଲଟିଛି ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର; ସାଧାରଣର ପ୍ରଶ୍ନବାଚୀ

ଓଡଗାଁ, ୧୫।୪(ସ୍ବ.ପ୍ର.)- କରୋନା ମହାମାରୀର ଭୟାବହତା କାରଣରୁ ସାମାଜିକ ଦୂରତା ଓ ମାକ୍ସ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ନୟାଗଡ ଜିଲା ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ ଗାଁ ଗହଳି ଓ ସାହିମାନଙ୍କରେ ଏହା ଆଦୌ ପାଳନ ହେଉନାହିଁ। ଏପରିକି ବିଭିନ୍ନ ବ୍ୟାଙ୍କକୁ ଟଙ୍କା ଉଠେଇବାକୁ ଆସୁଥିବା ବେଳେ ଖାତାଧାରୀ ସବୁ ଭୁଲିଯାଉଛନ୍ତି। ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଓ କୋମଣ୍ଡ ପିଏନ୍‌ବି ଏଟିଏମ୍‌ରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି। ଏଠାରେ ଲୋକେ ସାମାଜିକ ଦୂରତା ଆଦୌ ରକ୍ଷା କରୁ ନ ଥିବା ବେଳେ ମୁହଁରେ ମାସ୍କ ପିନ୍ଧି ନ ଥିବା ଦେଖିବାକୁ ମିଳିଛି। ଏନେଇ ପୋଲିସ ଓ ପ୍ରଶାସନ ସବୁ ଜାଣି ଚୁପ ରହିବା ପ୍ରଶାସନିକ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏପରି ଚାଲିଲେ କରୋନା ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ଆଦୌ ଫଳପ୍ରଦ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି।