Categories: ଜାତୀୟ

କରମବୀର ସିଂହ ହେଲେ ନୌସେନା ମୁଖ୍ୟ: କହିଲେ, ଭାରତୀୟ ସେନା ହେବ ଆହୁରି ଶକ୍ତିଶାଳୀ

ନୂଆଦିଲ୍ଲୀ, ୩୧।୫: ଆଡମିରାଲ କରମବୀର ସିଂହ ଭାରତୀୟ ନୌସେନାର ୨୪ତମ ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି। ଆଡମିରାଲ ସୁନୀଲ ଲାମ୍ବାଙ୍କ ସ୍ଥାନ ନେଇଛନ୍ତି କରମବୀର। ମେ ୩୧ରେ ଲାମ୍ବା ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ କରମବୀରଙ୍କୁ ନିଯୁକ୍ତି ଦେଇଥିଲେ କେନ୍ଦ୍ର ସରକାର। ଶୁକ୍ରବାର ଦାୟିତ୍ୱ ଭାର ସମ୍ଭାଳିବା ପରେ ସେ କହିଛନ୍ତି, ଆଗାମୀ ଦିନରେ ନୌସେନାକୁ ଆହୁରି ଶକ୍ତିଶାଳୀ କରିବା ପ୍ରାଥମିକ ଲକ୍ଷ୍ୟ ହେବ।
ସୂଚନାଯୋଗ୍ୟ, କରମବୀର ସିଂହ ପୁଣେସ୍ଥିତ ଜାତୀୟ ପ୍ରତିରକ୍ଷା ଏକାଡେମୀ, ୱେଲିଂଟନର ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜ ଏବଂ ମୁମ୍ବଇସ୍ଥିତ କଲେଜ ଅଫ ନାଭାଲ ୱାରଫେୟାରର ପୂର୍ବତନ ଛାତ୍ର। ୧୯୮୦ ଜୁଲାଇରେ ସେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ। ୧୯୮୨ରେ ସେ ଜଣେ ହେଲିକପ୍ଟର ପାଇଲଟ ଭାବେ କାର୍ଯ୍ୟାରମ୍ଭ କରିଥିଲେ। ହାଲ ନିର୍ମିତ ଚେତକ ଏବଂ କାମୋଭ କା-୨୫ ହେଲିକପ୍ଟର ଉଡାଇବାରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି। ଆଇସିଜିଏସ ଚାନ୍ଦ ବିବି, ଆଇଏନଏସ ବିଜୟଦୁର୍ଗା, ଆଇଏନଏସ ରାଣା ଏବଂ ଆଇଏନଏସ ଦିଲ୍ଲୀ ଭଳି ବିଭିନ୍ନ ଅତ୍ୟାଧୁନିକ ଜାହାଜର ସେ କମାଣ୍ଡ ନେଇଛନ୍ତି। ୩୭ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସିଂହଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ଏବଂ ପରମ ବିଶିଷ୍ଟ ସେବା ମେଡାଲ (୨୦୧୮)ରେ ସମ୍ମାନିତ କରାଯାଇଥିଲା।

Share