କମ୍‌ସଂଖ୍ୟକ ଉପସ୍ଥାନ ଯୋଗୁ ବନ୍ଦ ହେଲା ୨ ସ୍କୁଲ

ଗଣିଆ,୨୨।୧୦(ଡି.ଏନ.ଏ.)-ନୟାଗଡ଼ ଜିଲା ଗଣିଆ ବ୍ଲକରେ କମ୍‌ସଂଖ୍ୟକ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଯୋଗୁ ୨ଟି ସ୍କୁଲ ସୋମବାରଠାରୁ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି ା ବନ୍ଦ ହୋଇଥିବା ୨ଟି ପ୍ରାଥମିକ ବିଦ୍ୟାଳୟ ହେଉଛି ଛାମୁଣ୍ଡିଆ ପଞ୍ଚାୟତର କାଣିପୋଖରୀ ପ୍ରାଥମିକ ବିଦ୍ୟାଳୟ ଓ ବଡସିଲିଙ୍ଗା ପଞ୍ଚାୟତର ପୁରୁଣାପାଣି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ା
ଶିକ୍ଷା ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଶିକ୍ଷା ବର୍ଷରେ କାଣିପୋଖରୀ ପ୍ରାଥମିକ ବିଦ୍ୟାଳୟରେ ୯ଜଣ ଓ ପୁରୁଣାପାଣି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ୧୦ଜଣ ଛାତ୍ରୀଛାତ୍ର ପାଠ ପଢୁଥିଲେ। ସରକାରଙ୍କ ଶିକ୍ଷା ବିଭାଗର ନିୟମାନୁଯାୟୀ ୧୦ କିମ୍ବା ୧୦ରୁ କମ୍‌ ସଂଖ୍ୟକ ଛାତ୍ରୀଛାତ୍ର ଥିବା ବିଦ୍ୟାଳୟଗୁଡିକ ବନ୍ଦ କରାଯାଇ ନିକଟସ୍ଥ ସ୍କୁଲଗୁଡିକରେ ସାମିଲ କରାଯିବ ା ଫଳରେ ଏହି ୨ଟି ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଶିକ୍ଷକଙ୍କୁ ନିକଟସ୍ଥ ବିଦ୍ୟାଳୟରେ ସାମିଲ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ା ପୁରୁଣାପାଣି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଗୋଛାବାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ଓ କାଣିପୋଖରୀ ପ୍ରାଥମିକ ବିଦ୍ୟାଳୟ ଛାମୁଣ୍ଡିଆ କେ.ବି. ନୋଡାଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ସାମିଲ ହୋଇଥିବା ଜଣାପଡିଛି ା ବନ୍ଦ ହୋଇଥିବା ସ୍କୁଲଗୁଡିକ ଠାରୁ ସାମିଲ ହୋଇଥିବା ବିଦ୍ୟାଳୟର ଦୂରତା ୧କିଲୋମିଟରରୁ ଅଧିକ ହୋଇଥିଲେ ସଂପୃକ୍ତ ଛାତ୍ରୀଛାତ୍ରଙ୍କୁ ଯାତାୟାତ ବାବଦକୁ ବାର୍ଷିକ ୬ହଜାର ଟଙ୍କା ସରକାରଙ୍କ ତରଫରୁ ପ୍ରଦାନ କରାଯାଉଛି ବୋଲି କହିଥିଲେ ା ତେବେ ଗତ ୨୦୧୭ – ୧୮ ଶିକ୍ଷା ବର୍ଷରେ କମ୍‌ ସଂଖ୍ୟକ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଯୋଗୁ ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତର କୁତୁରୀ, ବଡମୂଳ, ବଡଶିଲିଙ୍ଗା ପଞ୍ଚାୟତର ବୁରିଆପାଜୁ, ସେକେଟାପଲ୍ଲୀ, ସେନେପେରୀ ଓ ଆଡକଟା ପଞ୍ଚାୟତର ତାମରଝୋଲା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇଛି ।