କମେଣ୍ଟ ମାରି ବିଚ୍‌ ରାସ୍ତାରେ ଯୁବତୀଙ୍କଠାରୁ ଛେଚା ଖାଇଲେ ଯୁବକ, ଭିଡିଓ ଭାଇରାଲ

ଜୟପୁର,୪।୧୨(ଡି.ଏନ୍‌.ଏ.): ବିଚ୍‌ ରାସ୍ତାରେ କମେଣ୍ଟ ମାରୁଥିବା ରୋଡ୍‌ ରୋମିଓଙ୍କୁ ଚାପୁଡ଼ା ମାରିଲେ ଯୁବତୀ। କୋରାପୁଟ ଜିଲା ଜୟପୁର ଜୟନଗରସ୍ଥିତ ଶିଶୁ ପାର୍କ ନିକଟରେ ଘଟିଥିବା ଏପରି କିଛି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଉକ୍ତ ପାର୍କ ନିକଟରେ କିଛି ଯୁବତୀ ଠିଆ ହୋଇଥିବା ବେଳେ ସେଠାରେ ଜଣେ ରୋଡ୍‌ ରୋମିଓ କମେଣ୍ଟ ମାରିଥିଲେ। ଏହାକୁ ଝିଅମାନଙ୍କ ମଧ୍ୟରୁ ଜଣେ ବିରୋଧ କରିଥିଲେ। ଫଳରେ ଯୁବତୀ-ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଯୁବତୀ ଜଣଙ୍କ ଉକ୍ତ ରୋମିଓ ଜଣଙ୍କୁ ଚାପୁଡ଼ା ମାରିବା ସହ ଗାଡ଼ି ଚାବି ରଖିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ହେଲେ ଯୁବକ ମଧ୍ୟ ପାଲଟା ଆକ୍ରମଣ କରି ସେଠାରୁ ଖସି ପଳାଇବାକୁ ଉଦ୍ୟମ କରୁଛନ୍ତି। ୩୦ ସେକେଣ୍ଡର ଏହିି ଭିଡିଓ ଏବେ ସହରରେ ଭାଇରାଲ ହେବାରେ ଲାଗିଛି। ଯୁବତୀଙ୍କ ପରିଚୟ ମିଳି ନ ଥିବା ବେଳେ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରାଯାଉଛି।