Categories: ଗଞ୍ଜାମ

କମେଣ୍ଟମରାକୁ କେନ୍ଦ୍ରକରି ହତ୍ୟାକାଣ୍ଡ: କାତି ସହ ଥାନାରେ ହତ୍ୟାକାରୀଙ୍କ ଆତ୍ମସମର୍ପଣ

ପୁରୁଷୋତ୍ତମପୁର,୧୭ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପ୍ରତାପୁର ଛକଠାରେ ରବିବାର ଅପରାହ୍ନରେ ଜଣେ ଯୁବକଙ୍କୁ କାତିରେ ହାଣି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ଗୋଠିଆଳି ଗ୍ରାମର ଏମ. ଶିବ ଦୋରା(୧୯)। ହତ୍ୟାକାରୀ ହେଲେ ଗୋଠିଆଳି ଗ୍ରାମର ଇ. ଜିତୁ ରେଡ୍ଡୀ। ହତ୍ୟା କରିବା ପରେ ସେ ବ୍ୟବହୃତ କାତି ସହ ପୁରୁଷୋତ୍ତମପୁର ଥାନାକୁ ଯାଇ ଆତ୍ମସମର୍ପଣ କରିଛନ୍ତି। ଏନେଇ ଶିବଙ୍କ ଭାଇ ଏମ୍‌. ଦୀନବନ୍ଧୁ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ନଂ.୧୩୭/୧୯ରେ ମାମଲା ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।
ପୁରୁଷୋତ୍ତମପୁର ଏସ୍‌ଡିପିଓ ନିମାଇଁ ଚରଣ ସେଠୀ ଓ ଏସ୍‌ଆଇ ସ୍ନେହାମଞ୍ଜରୀ ସାହୁ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛନ୍ତି। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।
ହତ୍ୟାକାରୀ ଜିତୁ ପୋଲିସକୁ ଦେଇଥିବା ସୂଚନା ପ୍ରକାରେ, ଦୀର୍ଘ ୪ବର୍ଷ ହେଲା ଶିବ ମୋ ସ୍ତ୍ରୀ, ମା’ ଓ ଭଉଣୀଙ୍କୁ ଅଶ୍ଳୀଳ ବ୍ୟବହାର ସହ ନାନା ପ୍ରକାର ହଇରାଣ ହରକତ କରୁଥିଲେ। ବାରମ୍ବାର କହିବା ପରେ ମଧ୍ୟ ସେ ଶୁଣୁନଥିଲେ। ଏପରିକି ତାଙ୍କ ଘରଲୋକଙ୍କୁ ଜଣାଇବା ପରେ ମଧ୍ୟ ସେମାନେ ଶିବଙ୍କୁ ତାଗିଦ୍‌ କରିବା ବଦଳରେ ଓଲଟା ମୋ ପରିବାରକୁ ମାରିବାକୁ ଆସିଥିଲେ। ଗତ ବୁଧବାର ପୁରୁଷୋତ୍ତମପୁରକୁ ଯାତ୍ରା ଦେଖିବାଲାଗି ଆସୁଥିବା ବେଳେ ଶିବ ତାଙ୍କର କେତେଜଣ ସହଯୋଗୀଙ୍କୁ ନେଇ ରାସ୍ତାରେ ମୋତେ ଅଟକାଇ ଆକ୍ରମଣ କରିଥିଲେ। ଏଥିରେ ଅତିଷ୍ଠ ହୋଇ ଶେଷରେ ମାରିବାକୁ ନିଷ୍ପତ୍ତି ନେଲି। ରବିବାର ଅପରାହ୍ନ ପ୍ରାୟ ୪.୩୦ରେ ପ୍ରତାପୁର ଛକଠାରେ ଏକ ପାନ ଦୋକାନରେ ଶିବ ବସିଥିବାବେଳେ ହାଣି ହତ୍ୟା କରିଛି ବୋଲି ଜିତୁ ସ୍ବୀକାର କରିଛନ୍ତି। କମେଣ୍ଟ ମାରିବା ଓ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଏସ୍‌ଡିପିଓ ସେଠୀ କହିଛନ୍ତି।