କମୁନି ଝିଅବୋହୂଙ୍କୁ ଶାରିରୀକ ନିର୍ଯାତନା: ପ୍ରହସନ ପାଲଟିଛି ଆତ୍ମରକ୍ଷା କୌଶଳ ତାଲିମ

ଯାଜପୁର ଅଫିସ,୨୮।୯: ରାଜ୍ୟ ଯୁବ ନୀତି (ଷ୍ଟେଟ ୟୁଥ୍‌ ପଲିସି)-୨୦୧୩ ଅନୁଯାୟୀ କଲେଜ ଛାତ୍ରୀଙ୍କୁ ଆମତ୍ରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ପ୍ରଣୀତ ହୋଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ଯାଜପୁର ଜିଲାରେ ପ୍ରହସନ ପାଲଟିଛି । ଜିଲାର କୌଣସି କଲେଜରେ ଏହି ମହତ ଯୋଜନାକୁ ଗାଇଡ୍‌ଲାଇନ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ। ଫଳରେ ଛାତ୍ରୀଙ୍କ ଆମତ୍ରକ୍ଷା କୌଶଳ ପରାହତ ହେଉଛି। ଏହି ଅନୀୟମିତତାକୁ ଉଚ୍ଚଶିକ୍ଷା ବିଭାଗ ହୃଦୟଙ୍ଗମ କରି ଏକ ରଣନୀତି ପ୍ରସ୍ତୁତ କରିଛନ୍ତି। ୨୦୧୯-୨୦ ବର୍ଷ ଏହି କାର୍ଯ୍ୟକ୍ରମକୁ ଠିକ୍‌ଭାବେ କାର୍ଯ୍ୟକାରୀ କରିବାକୁ ସମସ୍ତ ନୋଡାଲ କଲେଜ, ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜ, ଅନୁଦାନପ୍ରାପ୍ତ କଲେଜ ଓ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ କଲେଜ ଏହି ନିର୍ଦ୍ଦେଶର ଅନୁପାଳନ କରିବ ନାହିଁ ସେହି କଲେଜ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ନାରୀ ଅତ୍ୟାଚାର ଓ ବଳାକତ୍ାରର ଶିକାର ହୋଇଚାଲିଛନ୍ତି। ଅନେକ ସମୟରେ କଲେଜ ଛାତ୍ରୀମାନେ ଯୌନ ନିର୍ଯାତନା ଭୋଗୁଛନ୍ତି। ନିର୍ଜନ ରାସ୍ତାରେ ଯୁବତୀଟିଏ ଆଜି ଏକାକି ଯିବାର ସାହସ ଜୁଟାଇ ପାରୁନି। ଯୌତୁକ ରୂପୀ ରାକ୍ଷସ ଅନେକ ନବବଧୂଙ୍କ ସ୍ବପ୍ନରେ ନିଆଁ ଲଗାଇ ଦେଉଛି । ଯାଜପୁର ଜିଲାରେ ବୋହୂଙ୍କ ଚୁଟି ଧରି ଗାଁଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ଶ୍ୱଶୁର ମାଡ ମାରୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି । କହିବା ବାହୁଲ୍ୟ ଯେ, ନାରୀ ନିର୍ଯାତନା ସାମାଜିକ ବନ୍ଧନକୁ ଶିଥିଳ କରିଦେଇଛି। ଏହି ପରିପ୍ରେକ୍ଷୀରେ ମାର୍ଶଲ ଆର୍ଟ ଶିକ୍ଷା ନାରୀଙ୍କୁ ଶକ୍ତିମୟୀ କରିଛି। ରାଜ୍ୟର ଅନେକ ଯୁବତୀ ମାର୍ଶଲ ଆର୍ଟ ଶିକ୍ଷା ଗ୍ରହଣ କରି ଦେଶ ଓ ବିଦେଶରେ ପ୍ରସିଦ୍ଧି ଲାଭ କରିଛନ୍ତି। ଏହିକ୍ରମରେ ଉଭୟ ମହିଳା ଓ ପୁରୁଷଙ୍କୁ ସୁଦୃଢ କରିବାକୁ ବିଭିନ୍ନ ଆସୋସିଏଶନ କାର୍ଯ୍ୟ କରୁଛି। ମାର୍ଶଲ ଆର୍ଟ ବ୍ୟତୀତ ଛାତ୍ରୀମାନେ ବୌଦ୍ଧିକ, ଯୋଗାସନ, ଧ୍ୟାନ, ସଂଯମ, ସମାଜସେବା, ସ୍ବାସ୍ଥ୍ୟରକ୍ଷା, ସୌଜନ୍ୟ ଓ ଶୃଙ୍ଖଳାଗତ ଜ୍ଞାନ ଆହରଣ କରି ବିଭିନ୍ନ ପଦପଦବୀରେ ଅଧିଷ୍ଠିତ ହୋଇ ପାରିଛନ୍ତି । ତେଣୁ ଏହି ଶିକ୍ଷା ପ୍ରତି ଅଧିକାଂଶ ଅଭିଭାବକ ଓ ଛାତ୍ରୀ ଆକୃଷ୍ଟ ହୋଇଛନ୍ତି। ଏହିକ୍ରମରେ ଛାତ୍ରୀଙ୍କୁ ଅଧିକ ଶକ୍ତିମୟୀ କରିବାକୁ ସରକାର ଯୋଜନା କରିଥିଲେ ହେଁ କଲେଜ ଓ ସ୍କୁଲ କର୍ତ୍ତୃପକ୍ଷ ସେତେଟା ଆଗ୍ରହ ପ୍ରକାଶ କରିନାହାନ୍ତି। ଫଳରେ ଆଜି ବି ଛାତ୍ରୀମାନେ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଭୋଗୁଥିବା ଅନେକ ଦୃଷ୍ଟାନ୍ତ ରହିଛି ା ତେଣୁ ଏହି କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବାକୁ ସରକାର ନୂଆ ନୀତି ଆପଣାଇଛନ୍ତି। ଏହିମର୍ମରେ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସମ୍ପାଦକ ଶ୍ୟାମଳୀ ମହାପାତ୍ର ସମସ୍ତ ଜିଲାପାଳଙ୍କୁ ଏହି ନୀତିକୁ ଗୁରୁତ୍ୱପୂର୍ଣ୍ଣ ଭାବେ ନେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାବାଦ ଉପଜିଲାପାଳ, ବିଡିଓ ଓ ତହସିଲଦାର ଏହି ଆମତ୍ରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ସୂଚାରୁରୂପେ ସମ୍ପାଦନ ହେଉଛି କି ନାହିଁ ତାହା ନୀରିକ୍ଷଣ କରିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି। ଏ ସଂକ୍ରାନ୍ତରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ ସଂଯୁକ୍ତା ମହାପାତ୍ର କୁହନ୍ତି, ପ୍ରତ୍ୟେକ ଛାତ୍ରୀ ଆମତ୍ସୁରକ୍ଷା କୌଶଳ ଶିକ୍ଷା ଗ୍ରହଣ କରିବା ନିତ୍ୟାନ୍ତ ଆବଶ୍ୟକ । କାରଣ ଝିଅମାନେ ଶାରୀରିକ ଭାବେ ଦୁର୍ବଳ ହୋଇଥିବାରୁ ନାରୀ ସବୁବେଳେ ନିର୍ଯାତିତ ହୋଇଥାଏ। ତେଣୁ ଝିଅବୋହୂଙ୍କ ସୁରକ୍ଷା ପାଇଁ ସରକାର ସ୍କୁଲ ଓ କଲେଜସ୍ତରରେ ଆମତ୍ରକ୍ଷା କୌଶଳକୁ ବାଧ୍ୟତାମୂଳକ କରିବା ଆବଶ୍ୟକ। ପ୍ରତ୍ୟେକ ସ୍କୁଲରେ ଏଥିପାଇଁ ଜଣେ ଜଣେ ବିଶେଷଜ୍ଞ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ପ୍ରକାଶ କରିଛନ୍ତି।