କମିଶନରେଟ ପୋଲିସର ନୂଆ କଟକଣା: ନିୟମ ନ ମାନିଲେ ଦୋକାନୀ, ଗ୍ରାହକ ଗଣିବେ ୫ଶହ ଜରିମାନା

ଭୁବନେଶ୍ୱର,୧।୫(ବ୍ୟୁରୋ): ଲକ୍‌ଡାଉନ୍‌ ଜାରି ରହିଥିବାବେଳେ କଟକ ଓ ଭୁବନେଶ୍ୱରରେ କେତେକ ନିର୍ଦ୍ଦିଷ୍ଟ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ଦୋକାନଗୁଡିକରେ ସାମାଜିକ ଦୂରତ୍ୱ ବଜାୟ ସହ ଅନ୍ୟସବୁ ନିୟମ ପାଳନ ଉପରେ ଗୁରୁତ୍ୱ ଦେଇ ଗୁରୁବାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି କମିଶନରେଟ ପୋଲିସ। ଦୋକାନୀ ଓ ଗ୍ରାହକ ନିୟମ ପାଳନ ନ କଲେ ସହରାଞ୍ଚଳ ଆଇନର ଧାରା ୯୬(ଡି) ଅନୁସାରେ ୫ଶହ ଟଙ୍କା ଜରିମାନା କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ତେବେ ଜରିମାନା ଆଦାୟ ପାଇଁ ଥାନା ଏଏସ୍‌ଆଇମାନଙ୍କୁ ମଧ୍ୟ କ୍ଷମତା ଦିଆଯାଇଛି। ଏହି ନୂଆ ଅଧିନିୟମ ଶୁକ୍ରବାରଠାରୁ ୬୦ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପୋଲିସ କମିଶନର କହିଛନ୍ତି।
ନୂଆ କଟକଣା ଅନୁସାରେ, ବିଏମ୍‌ସି ଓ ସିଏମ୍‌ସି ଦ୍ୱାରା ଅନୁମତି ମିଳି ନ ଥିବା ଦୋକାନ ଖୋଲିବ ନାହିଁ। ଦୋକାନକୁ ଆସୁଥିବା ଗ୍ରାହକଙ୍କ ମଧ୍ୟରେ ଦୂରତା ୨ ମିଟର ବା ୬ ଫୁଟ ରହିବ। ଗ୍ରାହକମାନେ ଦୋକାନ ପରିସରରେ ଧାଡିରେ ଥିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। କୌଣସି ବ୍ୟକ୍ତି ବଜାର ଅଞ୍ଚଳକୁ ଗୁଟ୍‌ଖା,ପାନ ଇତ୍ୟାଦି ପାଟିରେ ରଖି ଯିବେ ନାହିଁ କି ବାହାରେ ଛେପ ପକାଇବେ ନାହିଁ। ସେହିଭଳି ସବୁ ଦୋକାନ ଓ ବାଣିଜି୍ୟକ ପ୍ରତିଷ୍ଠାନର ମାଲିକମାନେ ନିଜ ଦୋକାନ ପରିସର ଓ ଆଖପାଖ ଅଞ୍ଚଳରେ ସାମାଜିକ ବ୍ୟବଧାନ ପାଇଁ ପଦେକ୍ଷପ ନେବେ। ଦୋକାନ ପାଇଁ ଦିଆଯାଇଥିବା ସମୟ ନିର୍ଘଣ୍ଟକୁ କଡାକଡି ପାଳନ କରିବେ। ଗ୍ରାହକମାନେ କିଣାକିଣି ସମୟରେ ସାମାଜିକ ବ୍ୟବଧାନ ଓ ଶୃଙ୍ଖଳା ରକ୍ଷା ନ କଲେ କିମ୍ବା କଥା ନ ମାନିଲେ, ଦୋକାନୀ ତୁରନ୍ତ ୧୦୦କୁ ଫୋନ୍‌ କରି ଜଣାଇବେ। ନଚେତ ଦୋକାନୀ ବି ଦଣ୍ଡିତ ହେବେ। ସବୁ ଦୋକାନ ଓ ବାଣିଜି୍ୟକ ପ୍ରତିଷ୍ଠାନର ମାଲିକ, କର୍ମଚାରୀ ସର୍ବଦା ମାସ୍କ ପରିଧାନ କରିବେ। ମାସ୍କ ପିନ୍ଧି ନ ଥିବା ଗ୍ରାହକଙ୍କୁ ଦୋକାନ ଭିତରେ ପଶିବାକୁ ଦେବେ ନାହିଁ। ହାତ ଧୋଇବା ଓ ସାନିଟାଇଜର ବ୍ୟବସ୍ଥା କରିବେ। ଏହିସବୁ ନିୟମକୁ ଗ୍ରାହକ ଓ ଦୋକାନୀ ପାଳନ ନ କଲେ ଜରିମାନା କରାଯିବ ବୋଲି ପୋଲିସ କମିଶନର ଷଡ଼ଙ୍ଗୀ କହିଛନ୍ତି।