କମିଶନରେଟ ପୋଲିସରେ ଗଡ଼ିଲା ନୂଆ ୮ ପିସିଆର

ଭୁବନେଶ୍ୱର,୨୮।୯(ବ୍ୟୁରୋ): ନାଲ୍‌କୋ ସହାୟତାରେ ରାଜଧାନୀରେ ଗଡ଼ିଛି ଆଉ ୮ ନୂଆ ପିସିଆର। ଶୁକ୍ରବାର ସକାଳେ ପୋଲିସ କମିଶନରଙ୍କ ମୁଖ୍ୟାଳୟରେ ନାଲ୍‌କୋ ସିଏମ୍‌ଡି ତପନ କୁମାର ଚାନ୍ଦ ଏବଂ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପତାକା ଦେଖାଇ ନୂଆ ପିସିଆର ଭ୍ୟାନକୁ ଶୁଭାରମ୍ଭ କରିଥିଲେ। ରାଜଧାନୀରେ ୩୫ଟି ପିସିଆର ବର୍ତ୍ତମାନ ଗଡୁଥିବା ବେଳେ ନୂଆ ୮ଟି ପିସିଆର ମିଳିବାରୁ ବର୍ତ୍ତମାନ ଏହାର ସଂଖ୍ୟା ୪୩ ପହଞ୍ଚତ୍ଛି। କଟକରେ ୨୧ଟି ପିସିଆର ଭ୍ୟାନ ଗଡ଼ୁଛି। ଏହି ଅବସରରେ ନାଲକୋ ସିଏମ୍‌ଡି ତପନ କୁମାର ଚାନ୍ଦ କହିଛନ୍ତି, ଛୋଟ ହେଉ ଅବା ବଡ ଅପରାଧ କ୍ଷେତ୍ରରେ ପିସିଆର ଭ୍ୟାନର ଭୂମିକା ଯଥେଷ୍ଟ ରହିଛି। ପିସିଆର ଭ୍ୟାନ ପାଟ୍ରୋଲିଂ କରୁଥିବାରୁ ଲୋକେ ରାତିରେ ଶାନ୍ତିରେ ଶୋଇପାରୁଛନ୍ତି।
ପୋଲିସ କମିଶନର ଷଡଙ୍ଗୀ କହିଛନ୍ତି, ନାଲ୍‌କୋ ପୋଲିସକୁ ସହଯୋଗର ହାତ ବଢାଇଥିବାରୁ ଧନ୍ୟବାଦ ଦେଉଛୁ। ପିସିଆର ପୋଲିସର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଆଗାମୀ ଦିନଗୁଡିକରେ ଶିଳ୍ପ ଅନୁଷ୍ଠାନମାନ ପୋଲିସକୁ ଏଭଳି ସହଯୋଗ କରିବେ ବୋଲି ଆଶା କରୁଛୁ। କଣ୍ଟ୍ରୋଲ ରୁମ୍‌କୁ ପ୍ରତିଦିନ ୨ ହଜାର ଫୋନ୍‌ କଲ ଆସୁଛି। ପିସିଆର ଭ୍ୟାନ ପ୍ରାୟ ୨ ଶହରୁ ୨୨୦ କଲ୍‌ ଅନୁଯାୟୀ ଘଟଣାସ୍ଥଳକୁ ଯାଉଛି। ତେଣୁ ପିସିଆର ଭୂମିକା ପୋଲିସ ପାଇଁ ଯଥେଷ୍ଟ ରହିଛି ବୋଲି କମିଶନର ଷଡଙ୍ଗୀ କହିଛନ୍ତି। ନାଲକୋ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ କମିଶନରେଟ ପୋଲିସକୁ ୩୫ଟି ପିସିଆର ଭୁବନେଶ୍ୱରକୁ ଦେଇଛି। ଅନ୍ୟପକ୍ଷରେ ରାଜଧାନୀରେ ୪୩ଟି ପିସିଆର ଗଡ଼ୁଥିବାରୁ କର୍ମଚାରୀଙ୍କର ଅଭାବ ରହିଛି। କାରଣ ଗୋଟିଏ ଦିନରେ ୧୨ କର୍ମଚାରୀ ଆବଶ୍ୟକ ହେଉଛନ୍ତି। ୪ ଜଣ କରି ୮ଘଣ୍ଟା ଲେଖାଏ ୩ ସିଫ୍ଟ କାର୍ଯ୍ୟ କରୁଛନ୍ତି। ତେଣୁ ପିସିଆର କର୍ମଚାରୀ ବଢ଼ାଇବା ସହ କଟକ ସହରରେ ଆହୁରି ୫ ହଜାର ସିସି କ୍ୟାମେରା ଲଗାଇବା ପାଇଁ ପୋଲିସ କମିଶନର ଷଡଙ୍ଗୀ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି।