କମିଲା ଶୀତ: ୨୬ରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ଓଡ଼ିଶା ଉପକୂଳରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏଥିଯୋଗୁ ରାଜ୍ୟକୁ ଜଳୀୟ ବାଷ୍ପ ପ୍ରବେଶ କରୁଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଏବଂ ୨୬ ତାରିଖରେ ଖୋର୍ଦ୍ଧା, ପୁରୀ, କଟକ, ଜଗତ୍‌ସିଂହପୁର ଆଦି ଜିଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏଥିଯୋଗୁ ରାତ୍ରିର ତାପମାତ୍ରା ୫ରୁ ୬ ଡିଗ୍ରୀ ସେଲ୍‌ସିୟସ ବଢ଼ିବା ସମ୍ଭାବନା ରହିଛି। ଗୁରୁଚାପ ପ୍ରଭାବରେ ରାଜ୍ୟରେ ଶୀତ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଶନିବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ କୋରାପୁଟ ୮, ଦାରିଙ୍ଗବାଡ଼ି ୯.୫, ଅନୁଗୋଳ ୧୦.୬, ନବରଙ୍ଗପୁର ୧୧, ଭବାନୀପାଟଣା ୧୦.୨, ଝାରସୁଗୁଡ଼ା ୧୧.୪, କେନ୍ଦୁଝର ୧୧.୩, ସୁନ୍ଦରଗଡ଼ ୧୧.୫ ଏବଂ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୧.୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଟକ, କେନ୍ଦୁଝର, ମୟୂଭରଞ୍ଜ, ଅନୁଗୋଳ, ଢେଙ୍କାନାଳ, ଯାଜପୁରପୁରୀ, ଖୋର୍ଦ୍ଧା, ଭଦ୍ରକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ଗଞ୍ଜାମ, କନ୍ଧମାଳ ଜିଲାର କେତେକ ସ୍ଥାନରେ କୁହୁଡି ହେବାର ସମ୍ଭାବନା ରହିଛି ।