କମାପଲୀ ଅଶୋକ ନଗରରେ ଜଳୁନି ଷ୍ଟ୍ରିଟ ଲାଇଟ

ବ୍ରହ୍ମପୁର ଅଫିସ,୭ା୯-ବ୍ରହ୍ମପୁର ମହାନଗର ନିଗମ (ବିଏମସି)ର ୩୧ନଂ ୱାର୍ଡରେ ଆଲୋକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯାଇଛି । କମାପଲ୍ଲୀ ଅଞ୍ଚଳର ବୈଦ୍ୟନାଥେଶ୍ୱର ଶୈବପୀଠ ଠାରୁ ଅଶୋକ ନଗରର ୧୮ ସାହିରେ ଗତ ଏକ ସପ୍ତାହ ହେବ ଷ୍ଟ୍ରିଟ ଲାଇଟ ଜଳୁ ନ ଥିବାରୁ ସମଗ୍ର ଅଞ୍ଚଳ ଅନ୍ଧାର ହୋଇଛି । ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁ ରାସ୍ତାଘାଟ ଶୋଚନୀୟ ହୋଇଯାଇଛି, ଅନେକ ଖାଲଖମାରେ ପାଣି ଜମି ରହି ଯାନବାହନ ଓ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି ।
ଅଭିଯୋଗ ସତ୍ତ୍ବେ ବିଏମସି ସମସ୍ୟା ସମାଧାନ କରୁନି ବୋଲି ଉକ୍ତ ୱାର୍ଡର ପୂର୍ବତନ ବିଜେଡି କର୍ପୋରେଟର ସୁରେନ୍ଦ୍ର ମହାରଣା ଅଭିଯୋଗ କରିଛନ୍ତି। ସମସ୍ୟା ସମାଧାନ ଲାଗି ତ୍ୱରିତ ପଦକ୍ଷେପ ନିଆ ନ ଗଲେ ଅଞ୍ଚଳବାସୀଙ୍କୁ ମେଳି କରି ବିଏମସି ଅଫିସ ଘେରାଉ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ସୁରେନ୍ଦ୍ର ଶୁକ୍ରବାର ଆହୁରି କହିଛନ୍ତି ୩୧ ନଂ ୱାର୍ଡ ସମେତ ଆଖପାଖ ଅନ୍ୟ କେତେକ ୱାର୍ଡରେ ମଧ୍ୟ ସ୍ଥିତି ଅସମ୍ଭାଳ ହୋଇଯାଇଛି । ନାଳ ନର୍ଦ୍ଦମା ସଫେଇ ହେଉ ନ ଥିବାରୁ ମଇଳା ପାଣି ରାସ୍ତାରେ ଭାସୁଛି। ଅପରପକ୍ଷରେ ପ୍ରସ୍ତାବିତ ଜାନିବିଲି ଜଳ ଯୋଗାଣ ପ୍ରକଳ୍ପ ଲାଗି ପାଇପ ଲାଇନ ସଂଯୋଗ ନିମନ୍ତେ ରାସ୍ତାଗୁଡ଼ିକ ଖୋଳି କଦର୍ଯ୍ୟ କରି ଦିଆଯାଇଛି। ଫଳରେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ମହାନଗରର ପ୍ରାୟ ୮୦% ରାସ୍ତା ବିପଜ୍ଜନକ ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି।
ବିଏମସି ପକ୍ଷରୁ ବହୁ କୋଟି ଟଙ୍କା ବ୍ୟୟରେ ଇଣ୍ଟିଗ୍ରେଟର ଟ୍ରାଫିକ ସିଷ୍ଟମ କରାଯାଇଛି । ସେସବୁର ଆଲୋକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇ ସାହି ବସ୍ତିର ଷ୍ଟ୍ରିଟ ଲାଇଟ ପ୍ରତି ଅବହେଳା କରାଯାଇଥିବା ସୁରେନ୍ଦ୍ର କଟାକ୍ଷ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ କର୍ପୋରେଟରଙ୍କ ଅଭିଯୋଗ ଉପରେ ନିଗମର ଇଲେକ୍ଟ୍ରି ବିଭାଗ ପକ୍ଷରୁ କୁହାଯାଇଛି ଲଗାଣ ବର୍ଷା ଯୋଗୁ କେତେକ ଅଞ୍ଚଳରେ ଷ୍ଟ୍ରିଟଲାଇଟ ମରାମତିରେ ସମସ୍ୟା ଦେଖାଦେଇଛି। ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟା ସମାଧାନ କରାଯିବାର ସୂଚନା ଦିଆଯାଇଛି ।