କନ୍ୟା ସନ୍ତାନ ଜନ୍ମ ଦେବାରୁ ମହିଳାଙ୍କୁ ପୋଡ଼ି ହତ୍ୟା

ରାଉରକେଲା ଅଫିସ,୧୨।୨:କନ୍ୟା ସନ୍ତାନ ଜନ୍ମ ଦେବାରୁ ରାଧା କୁମାରୀ(୨୪) ନାମ୍ନୀ ଜଣେ ମହିଳାଙ୍କୁ ନିର୍ଯାତନା ଦିଆଯିବା ସହ ପୋଡି ହତ୍ୟା କରାଯାଇଛି ବୋଲି ମଙ୍ଗଳବାର ଷ୍ଟିଲ ସିଟିର ବନ୍ଧମୁଣ୍ଡା ଥାନାରେ ଅଭିଯୋଗ ହୋଇଛି। ପୋଲିସ ତଦନ୍ତ ଆରମ୍ଭ କରି ରାଧାଙ୍କ ସ୍ବାମୀ ବିନୋଦ ସିଂ, ଶ୍ୱଶୁର ରାମକୀର୍ତ୍ତି, ଦେଡଶୁର ଜୟମଙ୍ଗଲ ଓ ଯାଆ ମୁନ୍ନିଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ରାଉରକେଲା ଗୋପବନ୍ଧୁପାଲି ବାସିନ୍ଦା ଶିବ ପ୍ରସାଦ ସ୍ବର୍ଣ୍ଣକାରଙ୍କ ଝିଅ ରାଧା କୁମାରୀ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ କୋଇଲା ଗେଟ ଅଞ୍ଚଳର ବିନୋଦ ସିଂ(୩୦)ଙ୍କୁ ବୈଦିକ ରୀତିରେ ୬ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହର ୬ ମାସ ପରେ ତାଙ୍କୁ ଯୌତୁକ ନିର୍ଯାତନା ଦିଆଯାଇଥିଲା। ଏପରିକି ସେତେବେଳେ ମାରପିଟ ଯୋଗୁ ତାଙ୍କ ଗର୍ଭର ପିଲା ନଷ୍ଟ ହୋଇ ଯାଇଥିଲା ବୋଲି ରାଧାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ତଥାପି ରାଧା ଶାଶୁ ଘରେ ନିର୍ଯାତନା ସହି ରହିଥିଲେ। ବିବାହର ୩ ବର୍ଷ ପରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଯାହାକୁ ନେଇ ପରିବାରରେ ଅଧିକ ଝଡ଼ ସୃଷ୍ଟି ହୋଇଥିଲା। କନ୍ୟା ସନ୍ତାନ ଜନ୍ମ ଦେବାରୁ ପୂର୍ବରୁ ହେଉଥିବା ନିର୍ଯାତନା ଅଧିକ ବଢିଯାଇଥିଲା। ଗତ ୮ମାସ ତଳେ ରାଧା ପୁଣି ଥରେ ଗର୍ଭବତୀ ହୋଇଥିଲେ। ଗର୍ଭବତୀ ଥିବା ସମୟରେ ଶାଶୁ ଘର ଲୋକେ ଅଲ୍ଟ୍ରା ସାଉଣ୍ଡ କରି ରାଧାଙ୍କ ଗର୍ଭରେ ପୁଣି ଏକ କନ୍ୟା ଭ୍ରୂଣ ରହିଛି ଜାଣିବାକୁ ପାଇଥିଲେ। ଏମିତି ଅବସ୍ଥାରେ ତାଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଥିଲା। ଭ୍ରୂଣର ଲିଙ୍ଗ ନିରୁପଣ ବେଆଇନ ହୋଇଥିଲେ ମଧ୍ୟ ଡାକ୍ତରଙ୍କୁ ଟଙ୍କା ଦେଇ ରାଧା ଶାଶୁ ଘର ଲୋକେ ଲିଙ୍ଗ ନିରୁପଣ କରିଥିଲେ ବୋଲି ରାଧାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ଗତ ୧ ତାରିଖରେ ରାଧା ଶାଶୁ ଘରେ ନିଅଁା ଜାଳି ସେକି ହେଉଥିବା ବେଳେ ପୋଡି ହୋଇ ଗୁରୁତର ହୋଇଥିଲେ। ପରିବାର ଲୋକେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରାଧା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହାର ଦିନକ ପରେ ନବଜାତକଙ୍କ ମୃତ୍ୟୁ ଘଟିଥିଲା ା ସେହିପରି ସୋମବାର ରାତି ୯ଟାରେ ଚିକିତ୍ସାଧୀନ ଅବସ୍ଥାରେ ରାଧାଙ୍କ ମୃତ୍ୟୁ ଘଟିଛି। ଏନେଇ ରାଧାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି, କନ୍ୟା ସନ୍ତାନ ଜନ୍ମ ଦେଉଥିବାରୁ ରାଧାଙ୍କୁ ଯୋଜନାବଦ୍ଧ ଭାବେ ପୋଡି ମାରି ଦିଆଯାଇଛି। ଏଣୁ ରାଧାଙ୍କ ସ୍ବାମୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ତାଙ୍କ ବାପା ଦାବି କରିଛନ୍ତି। ଏନେଇ ପୋଲିସ ଏକ ମାମଲା (ନଂ. ୨୦/୨୦୨୦) ରୁଜୁ କରି ତଦନ୍ତ କରୁଛି।