କନ୍ୟାଭ୍ରୁଣ ହତ୍ୟା, ବାଲ୍ୟ ବିବାହ ବିରୋଧରେ ମାନବ ଶୃଙ୍ଖଳ

ନୟାଗଡ଼ ଅଫିସ,୨୫ା୧୨: ନୟାଗଡ଼ ଜିଲା ମହୋତ୍ସବ ପାଳନ ଅବସରରେ ମଙ୍ଗଳବାର ପୂର୍ବାହ୍ନରେ ପ୍ରଶାସନ ପକ୍ଷରୁ ମାନବ ଶୃଙ୍ଖଳ କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା। କନ୍ୟା ଭ୍ରୂଣ ହତ୍ୟା ରୋକିବା, ବାଲ୍ୟ ବିବାହ ବନ୍ଦ କରିବା, କନ୍ୟା ସନ୍ତାନ ସୁରକ୍ଷା ଓ କନ୍ୟାମାନଙ୍କ ଶିକ୍ଷା ନିମନ୍ତେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଜିଲାପାଳ ଡା. ପୋମା ଟୁଡୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅପରାହ୍ନ ୧୧ଟାରୁ ୧୧ଟା ୧୫ ମଧ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା କୃଷମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ପିଡି ସୁବାସ ଚନ୍ଦ୍ର ରାୟ, ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ଡିଏଫ୍‌ଓ ଧନରାଜ ଏଚ୍‌ଡି, ପୌରପାଳିକା ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ। ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟଠାରୁ ପାଖାପାଖି ୨ କିଲୋମିଟର ଦୂର ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଦୁଇ କଡ଼ରେ ବିଭିନ୍ନ କଲେଜ, ସ୍କୁଲର ଛାତ୍ରୀଛାତ୍ର, ସରକାରୀ କାର୍ଯ୍ୟାଳୟର କର୍ମଚାରୀ, ବ୍ୟବସାୟୀ, ଖବରଦାତା ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ। ଜିଲାପାଳ ଟୁଡୁ ଧାଡିରେ ଛିଡ଼ା ହୋଇ ଏହାକୁ ସଫଳ କରାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।