କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟ : କାର୍ଯ୍ୟକ୍ଷମ ହେଲା ଶିଶୁ ଆଇସିୟୁ

ଫୁଲବାଣୀ ଅଫିସ,୨ା୮- କନ୍ଧମାଳ ଜିଲାବାସୀଙ୍କ ପାଇଁ ଖୁସି ଖବର। ଏଣିକି ଗୁରୁତର ଶିଶୁଙ୍କୁ ଆଉ ଚିକିତ୍ସା ପାଇଁ କଟକ କିମ୍ବା ବ୍ରହ୍ମପୁର ନେବାକୁ ପଡିବ ନାହିଁ। ଜନ୍ମ ବେଳେ ଓ ପରେ ଗୁରୁତର ହୋଇପଡୁଥିବା ଶିଶୁମାନଙ୍କୁ କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶିଶୁ ଆଇସିୟୁ ବା ପେଡିଆଟ୍ରିକ୍‌ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌(ପିକୁ)ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯିବ। ଗୁରୁବାର ଏହି ନୂତନ ଶିଶୁ ଆଇସିୟୁକୁ କାର୍ଯ୍ୟକ୍ଷମ କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସମୀର କୁମାର ଦାସ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ(ମେଡିକାଲ) ମନୋରଞ୍ଜନ ରାଉତ ଏହି କକ୍ଷକୁ ଉଦ୍‌ଘାଟନ କରିଥିଲେ। ଏଥିସହ ଶିଶୁ ଜରୁରୀକାଳୀନ ଚିକିତ୍ସା(ଇଟାଟ) ମଧ୍ୟ ଉଦ୍‌ଘାଟନ ହୋଇଛି। ଏସବୁ କକ୍ଷରେ ଆଧୁନିକ ଯନ୍ତ୍ରପାତି ରଖା ଯାଇଥିବା ବେଳେ ଅଭିଜ୍ଞ ଡାକ୍ତରଙ୍କୁ ଅବସ୍ଥାପିତ କରାଯାଇଛି। ପୂର୍ବରୁ ଏହି ସୁବିଧା ମେଡିକାଲ କଲେଜଗୁଡିକରେ ଥିଲା। କନ୍ଧମାଳ ଜିଲାରେ ଅଧିକ ଶିଶୁ ମୃତ୍ୟୁହାରକୁ ଲକ୍ଷ କରି ଏହି ଶିଶୁ ଆଇସିୟୂ ଖୋଲା ଯାଇଛି। ଏଥିରେ ମୋଟ ୬ଟି ବେଡ ରଖା ଯାଇଛି। ପ୍ରତି ବେଡ ପିଛା ଜଣେ ଷ୍ଟାଫ ନର୍ସ ଏବଂ ୨ ଜଣ ଡାକ୍ତର ଏଠାରେ ସବୁବେଳେ ରହିବାକୁ ନିଷ୍ପତ୍ତି ହୋଇଛି। ଏହି ଆଇସିୟୁ ଖୋଲା ହେବା ଦ୍ୱାରା ଶିଶୁ ମୃତ୍ୟୁହାର କମିବ। ପଡୋଶୀ ବୌଦ୍ଧ ଜିଲାବାସୀ ମଧ୍ୟ ଉପକୃତ ହେବେ ବୋଲି ଜିଲା ପ୍ରଜନନ ଶିଶୁ ସ୍ବାସ୍ଥ୍ୟ ଅଧିକାରୀ ଆଶିଷ କୁମାର ମହାନ୍ତି ସୂଚନା ଦେଇଛନ୍ତି।