କଥାରେ ସୀମିତ ସ୍ବଚ୍ଛତା

ସ୍ବଚ୍ଛ ସୁନ୍ଦର ସହର ହେବ ଢେଙ୍କାନାଳ। ଥରେ ମାତ୍ର ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକ୍‌, ପଲିଥିନ ସାମଗ୍ରୀ ଉପରେ ଜାରି କରାଯିବ କଟକଣା। ଏହାକୁ କାର୍ଯ୍ୟକାରୀ କରିବାକୁ ୫ମାସ ହେଲା ଗୁରୁତ୍ୱ ଦେଇଆସୁଛି ଜିଲା ପ୍ରଶାସନ। ସଭାସମିତି, ବୈଠକରେ ଅଧିକାରୀମାନେ ପ୍ଲାଷ୍ଟିକ୍‌ ବାରଣ କଥା କହି ବୁଲୁଛନ୍ତି। ଏପରି କି ପ୍ରସିଦ୍ଧ ଲକ୍ଷ୍ମୀପୂଜାକୁ ପଲିଥିନ ମୁକ୍ତ କରିବାକୁ ପ୍ରଶାସନିକ ବୈଠକରେ ଆଲୋଚନା ମଧ୍ୟ କରାଯାଇଥିଲା। ହେଲେ ଭସାଣି ଉତ୍ସବ ଶେଷ ହେବା ପରେ ଏହାର ବାସ୍ତବତା ପଦାକୁ ଆସିଛି। ଏଥିରୁ କାମ କେବଳ କଥାରେ ସୀମିତ ବୋଲି ସ୍ପଷ୍ଟ ହୋଇଛି। ଅକ୍ଟୋବର ୧୩ରୁ ଆରମ୍ଭ ହୋଇଥିବା ଲକ୍ଷ୍ମୀପୂଜା ୨୩ ତାରିଖରେ ଶେଷ ହୋଇଛି। ଏହି ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାର ଦୁଇପାର୍ଶ୍ୱରେ ପସରା ମେଲାଇଥିଲେ ଶତାଧିକ ବ୍ୟବସାୟୀ। ବିକ୍ରିବଟା ପରେ ଏବେ ଉକ୍ତ ସ୍ଥାନ ଆବର୍ଜନାକୁଣ୍ଡରେ ପରିଣତ ହୋଇଛି। ସେହିପରି ମହିଷାପାଟ ପଡ଼ିଆରେ ଆୟୋଜିତ ସରସ ମେଳାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। କେବଳ ଲକ୍ଷ୍ମୀପୂଜା କି ମେଳା ପଡ଼ିଆ ନୁହେଁ, ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କପିଳାସ, ଯୋରନ୍ଦା ସମେତ ବିଭିନ୍ନ ଦେବଦେବୀଙ୍କ ପୀଠରେ ମଧ୍ୟ ପ୍ଲାଷ୍ଟିକ, ପଲିଥିନକୁ ବାରଣ କରାଯାଇଛି। ହେଲେ ଏହା କେବଳ ଧର୍ମକୁ ଆଖିଠାର ସଦୃଶ। ନିୟମ କଡ଼ାକଡ଼ି କରାଯାଉ ନ ଥିବାରୁ ପର୍ଯ୍ୟଟକ, ଶ୍ରଦ୍ଧାଳୁଙ୍କ ଉପରେ ଏହାର ପ୍ରଭାବ ପଡୁନାହିଁ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ବିଧିବଦ୍ଧ ଭାବେ ପଲିଥିନ ବ୍ୟାନ୍‌ କରାଯାଇଛି। ଏଥିପୂର୍ବରୁ ୨ମାସ ତଳେ ସହରରେ ପଲିଥିନ ନିଷେଧ ଲାଗି ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରିଥିଲା ଜିଲା ପ୍ରଶାସନ। ଲୋକଙ୍କୁ ସଚେତନ କରାଇବାକୁ ଏହାର ଦଣ୍ଡବିଧାନ ସମ୍ପର୍କରେ ଅବଗତ ମଧ୍ୟ କରାଯାଇଥିଲା। ହେଲେ ବ୍ୟବସାୟୀମାନେ ଖୁଲମଖୁଲା ଜରି ମୁଣାରେ ବ୍ୟବସାୟ ଚଳାଇଛନ୍ତି। ଫଳରେ ପ୍ରଶାସନର ସଚେତନତା କାର୍ଯ୍ୟକ୍ରମ କେବଳ କଥାରେ ସୀମିତ ବୋଲି ସାଧାରଣରେ ଆଲୋଚନା ହେଉଛି। ଲକ୍ଷ୍ମୀପୂଜା ସମୟରେ ହୋଇଥିବା ଲଗାଣ ବର୍ଷାରେ ସହରବାସୀଙ୍କୁ କନ୍ଦାଇଥିଲା ପଲିଥିନ। ଡ୍ରେନ୍‌ରେ ପଲିଥିନ ବର୍ଜ୍ୟ ପଶି ଜାମ୍‌ ହୋଇଯିବାରୁ ନର୍ଦ୍ଦମାଜଳ ନିଷ୍କାସିତ ହୋଇ ନ ପାରି ବ୍ୟସ୍ତବହୁଳ ରାସ୍ତାକୁ ପୂତିଗନ୍ଧମୟ କରିଦେଇଥିଲା। ନିୟମ କଡ଼ାକଡ଼ି ନ ହେଲେ ଆଗାମୀ ଦିନରେ ମଧ୍ୟ ଏପରି ସମସ୍ୟାର ପୁନରାବୃତ୍ତି ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏବେଠୁ ଜିଲା ପ୍ରଶାସନ ଏବଂ ପୌରସଂସ୍ଥା ସମସ୍ୟାକୁ ହୃଦୟଙ୍ଗମ ନ କଲେ ଆଇନ ନାଲିଫିତା ତଳେ ରହିଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।