କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନରେ ଅନିୟମିତତା: ଜଣେ ରିଟେଲର ନିଲମ୍ବିତ,୨ ଜଣଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ

ରସୁଲପୁର,୨|୮(ଡିଏନ୍‌ଏ)- ରସୁଲପୁର ବ୍ଲକ ଅଧୀନ କଲଣ ପଞ୍ଚାୟତର ବେସରକାରୀ ଖୁଚରା ବିକ୍ରେତା(ରିଟେଲର) କାଳନ୍ଦୀ ଚରଣ ସାହୁଙ୍କୁ ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ନିଲମ୍ବନ କରିଛନ୍ତି ା ଏଥିସହ ଉପଜିଲାପାଳ ଏହି ପଞ୍ଚାୟତର ଅନ୍ୟ ଦୁଇଜଣ ନିଲମ୍ବିତ ରିଟେଲର ରାଜେଶ କୁମାର ସାହୁ ଓ ପଦନ ମୋହନ ସାହୁଙ୍କୁ ସପ୍ତାହକ ମଧ୍ୟରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଯୋଗାଣ ବିଭାଗର ଆକ୍ରମଣାତ୍ମକ ଭଙ୍ଗୀକୁ ନେଇ ରିଟେଲରଙ୍କ ମଧ୍ୟରେ ଛନକା ପଶିଛି।
ପ୍ରକାଶ ଯେ, ଗତ ଫେବୃୟାରୀ ୧୪ରେ ୩ଜଣ ରିଟେଲରଙ୍କୁ ନିଲମ୍ବନ କରାଯାଇଥିଲା। ଖାଉଟିଙ୍କୁ କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନରେ ଅନିୟମିତତା ଯୋଗୁ ଉପଜିଲାପାଳ କାର୍ଯ୍ୟାଳୟ ପକ୍ଷରୁ ରିଟେଲରଙ୍କୁ ନିଲମ୍ବନ କରାଯାଇଥିଲା। ଏଥିସହ ନିଜ ସପକ୍ଷରେ ମତ ରଖିବାକୁ ସେମାନଙ୍କୁ କାର୍ଯ୍ୟାଳୟ ପକ୍ଷରୁ ସୁଯୋଗ ପ୍ରଦାନ କରାଯାଇଥିଲା। ନିଲମ୍ବିତ ରିଟେଲର କାଳନ୍ଦି ଚରଣ ସାହୁ ଉପଜିଲାପାଳଙ୍କ ନିକଟରେ ନିଜର ପକ୍ଷ ରଖିଥିଲେ। ମାତ୍ର କାଳନ୍ଦୀଙ୍କ ମତାମତ ସନ୍ତୋଷଜନକ ନ ଥିଲା। ଫଳରେ ଉପଜିଲାପାଳ ତାଙ୍କୁ ନିଲମ୍ବନ କରିଛନ୍ତି। ତାଙ୍କର ଲାଇସେନ୍ସ ନଂ-୧୩୦୯କୁ ଅସ୍ଥାୟୀ ଭାବେ ବାତିଲ କରାଯାଇଛି ା ଏଥିସହ ଅନ୍ୟ ଦୁଇଜଣ ରିଟେଲର ରାଜେଶ କୁମାର ସାହୁ ଓ ପଦନ ମୋହନ ସାହୁଙ୍କୁ ସପ୍ତାହକ ମଧ୍ୟରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ା ଏଥିରେ ବିଫଳ ହେଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।