କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର:ନୂଆ ଆମ୍ବୁଲାନ୍ସ ଖତ ଖାଉଛି, ଭଡ଼ା ଗାଡ଼ିରେ କାମ ଚଳାଯାଉଛି

ଖଣ୍ଡପଡ଼ା,୨୫ା୯(ସ୍ବ.ପ୍ର.): ଜରୁରିକାଳୀନ କ୍ଷେତ୍ରରେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସରକାରୀ ଡାକ୍ତରଖାନାରେ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। କିନ୍ତୁ ଅନେକ ସ୍ଥାନରେ ପରିଚାଳନଗତ ତ୍ରୁଟି ହେଉ କିମ୍ବା ରକ୍ଷଣାବେକ୍ଷଣ ଅଭାବରୁ ଆମ୍ବୁଲାନ୍ସ ଥାଇ ବି ରୋଗୀଙ୍କ କାମରେ ଲାଗିପାରୁ ନାହିଁ। ନୟାଗଡ଼ ଜିଲା କଣ୍ଟିଲୋ ସରକାରୀ ଡାକ୍ତରଖାନାରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏଠାରେ ୬ବର୍ଷ ପୂର୍ବରୁ କିଣାଯାଇଥିବା ନୂଆ ଆମ୍ବୁଲାନ୍ସ ପଡିରହି ଖତ ଖାଉଥିବାବେଳେ ଭଡାଗାଡ଼ିରେ କାମ ଚଳାଯାଉଛି।
କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ, କଣ୍ଟିଲୋ ଓ ଏହାର ଆଖପାଖ ବାଣପୁର, ଧାନଚେଙ୍ଗଡା, ସିଧାମୂଳା, ବେଣାଗାଡିଆ, ପଥରଚକଡା, ବାଉଁଶବାଟି ଆଦି ୭ ପଞ୍ଚାୟତର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଜନସଧାରଣ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି। ଏହାଛଡା କଣ୍ଟିଲୋ ନୀଳମାଧବ ପୀଠ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପରେ ପ୍ରତ୍ୟହ ଶତାଧିକ ପର୍ଯ୍ୟଟକ ଏହି ଅଞ୍ଚଳକୁ ଆସିଥାନ୍ତି। ଅନେକ ସମୟରେ ଜରୁରୀ ସେବା ପାଇଁ ପର୍ଯ୍ୟଟକମାନେ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ସେବା ପାଇଁ ଆସିଥାନ୍ତି। ଜରୁରିକାଳୀନ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯିବା ଆବଶ୍ୟକ ହୋଇଥାଏ। କିନ୍ତୁ ହଠାତ୍‌ କୌଣସି ଯାନବାହନ ମିଳୁ ନ ଥିବାରୁ ରୋଗୀ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଅଞ୍ଚଳବାସୀଙ୍କ ବହୁ ଦାବି ପରେ ୨୦୧୩ ଅଗଷ୍ଟ ମାସରେ ତତ୍କାଳୀନ ଖଣ୍ଡପଡ଼ା ବିଧାୟକ ସିଦ୍ଧାର୍ଥ ଶେଖର ସିଂହଙ୍କ ଅନୁଦାନ ପାଣ୍ଠିରୁ ପ୍ରାୟ ୩ ଲକ୍ଷ ଟଙ୍କା ବ୍ୟୟରେ ଆମ୍ବୁଲାନ୍ସ (ମାରୁତି ଗାଡ଼ି) କ୍ରୟ କରାଯାଇ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିଲା। ହେଲେ ନୀତିନିୟମ ଆଳକରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚାଳକ ଯୋଗାଇବା ସମ୍ଭବ ନ ଥିଲା। ଫଳରେ ଏହି ଗାଡିକୁ ସ୍ବାସ୍ଥ୍ୟକେନ୍ଦ୍ରର ରୋଗୀ କଲ୍ୟାଣ ସମିତି ଦ୍ୱାରା ପରିଚାଳନା କରାଯିବାକୁ ପରାମର୍ଶ ଦିଆଯାଇଥିଲା। ସେ ସମୟରେ କୌଣସି ଚାଳକ ସୀମିତ ଅର୍ଥରେ କିମ୍ବା ଠିକା ଭାବରେ କାମ କରିବା ପାଇଁ ଆଗ୍ରହ ପ୍ରକାଶ କରି ନ ଥିଲେ। ଫଳରେ ଗାଡ଼ିଟି ଅବ୍ୟବହୃତ ହୋଇ ପଡିରହିଛି। ଏବେ ୧୦୨ ଆମ୍ବୁଲାନ୍ସ ପାଇଁ ବିଭାଗୀୟ ନିର୍ଦ୍ଦେଶ କ୍ରମେ ବୋଲେରୋ ଗାଡି ଭଡ଼ା ସୂତ୍ରରେ ଦିଆଯାଇଛି ା ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା କଥା, ବିଭିନ୍ନ ମେଡିକାଲରେ ଆମ୍ବୁଲାନ୍ସ ଅଚଳ ଅବସ୍ଥାରେ ରହିଛି। ସେସବୁ ଗାଡିର ଡ୍ରାଇଭର ଘରେ ବସି ଦରମା ନେଉଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ନିର୍ଦ୍ଦେଶକ୍ରମେ ଏହି ଚାଳକମାନଙ୍କୁ ନିୟୋଜିତ କରାଗଲେ ପଡିରହିଥିବା ଗାଡି ଚଳାଚଳ କରିବା ସହ ଜରୁରିକାଳୀନ ସେବା ପାଇଁ ରୋଗୀମାନେ ଉପକୃତ ହୋଇପାରନ୍ତେ। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ସରକାର ରୋଗୀମାନଙ୍କ ପାଇଁ ୧୦୨ ଓ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ରୋଗୀମାନେ ମାଗଣାରେ ସେବା ପାଇପାରୁଛନ୍ତି। ତେଣୁ ବିଧାୟକ ଅନୁଦାନରେ କିଣାଯାଇଥିବା ଗାଡି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ପଡୁନି। ଅନ୍ୟପକ୍ଷରେ ସ୍ବାସ୍ଥ୍ରକେନ୍ଦ୍ରର ରୋଗୀ କଲ୍ୟାଣ ସମିତି ସଭାପତି ରାମେଶ୍ୱର ଶତପଥୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏହି ସମସ୍ୟା ନେଇ ସରକାରଙ୍କୁ ଅବଗତ କରାଯିବ ବୋଲି କହିଥିଲେ।