କଣ୍ଟାପଡ଼ା ବ୍ଲକରେ ସରକାରୀ ନିୟମକୁ ଫୁ’: ସାମାଜିକ ଦୂରତା କଟକଣା ପଛ, ଜଳଖିଆ ଖିଆ ଆଗ

କଣ୍ଟାପଡା, ୧୨।୫(ଡି.ଏନ୍‌.ଏ.): ମହାମାରୀ କରୋନାରୁ ମୁକୁଳିବାକୁ ହେଲେ ସାମାଜିକ ଦୂରତ୍ୱ ରକ୍ଷା ହିଁ ଏକମାତ୍ର ଉପାୟ ବୋଲି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ଏପରିକି ସମ୍ପ୍ରତି ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ମାତ୍ର ତୃତୀୟ ପର୍ଯ୍ୟାୟରେ କିଛି କଟକଣା କୋହଳ ହୋଇଥିବାକୁ ନେଇ ଲୋକମାନେ ରାଜ୍ୟ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ଏପରିକି ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତ୍ୱକୁ ଫୁ କରୁଥିବା ଦେଖିବାକୁ ମିଳୁଛି। କଣ୍ଟାପଡା ବ୍ଲକ ଅଞ୍ଚଳରେ ଏଭଳି ଘଟଣା ନଜରକୁ ଆସିଛି।
କାମପାଇଁ ଏଠାକୁ ବିଭିନ୍ନ ଗ୍ରାମପଞ୍ଚାୟତରୁ ଲୋକମାନେ ଆସୁଛନ୍ତି। ବ୍ଲକଛକରେ ଥିବା ପାନ, ଚା ଓ ଫାଷ୍ଟଫୁଡ୍‌ ଦୋକାନରେ ଗ୍ରାହକମାନଙ୍କର ଗହଳି ରହୁଥିବା ଦେଖାଯାଉଛି। ତେବେ ଅଧିକଂଶ ଲୋକ ମାସ୍କ ପିନ୍ଧୁ ନ ଥିବାବେଳେ ଉକ୍ତ ଦେକାନ ଗୁଡିକରେ ଖାଇବାବେଳେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଉନାହାନ୍ତି। ବ୍ଲକଟି ଫୁଲନଖରା-ନିଆଳି ରାସ୍ତାପାର୍ଶ୍ୱରେ ଥିବାରୁ ଉକ୍ତ ରାସ୍ତାଦେଇ ଯାଉଥିବା ଅଚିହ୍ନା ବ୍ୟକ୍ତିମାନେ ଏଠାରେ ଅଟକିବା ସହ ସାମାଜିକ ଦୂରତ୍ୱ ନ ରଖି ଦୋକନରୁ ଜିନିଷପତ୍ର କିଣାକିଣି କରୁଛନ୍ତି। କଣ୍ଟାପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ଅବସ୍ଥା ଲାଗି ରହିଥିବାବେଳେ ବ୍ଲକର ଅନ୍ୟ ଅଞ୍ଚଳ କଥା ନ କହିବା ଭଲ। କଣ୍ଟାପଡା ବ୍ଳକ ଗ୍ରୀନ୍‌ ଯୋନରେ ରହିଥିବାବେଳେ ସ୍ବାବଟେଷ୍ଟ କରାଯାଇଥିବା ୩୪ ଜଣ ବ୍ୟକ୍ତିଙ୍କ ନମୁନା ରିପୋର୍ଟ ନେଗେଟିଭ ଆସିଛି। ଏହାସତ୍ତ୍ୱେ ସାମାଜିକ ଦୂରତ୍ୱ ନ ରଖିଲେ ଆଗକୁ ପରିସ୍ଥିତି ଅଣାୟତ୍ତ ହେବବୋଲି ସାଧାରଣରେ ଆଲେଚନା ହେଉଛି। ପ୍ରଶାସନ ଏଥିପ୍ରତି ନଜରଦେବାକୁ ସାଧାରଣରେ ଦାବି ହେଉଛି।