Categories: ଅନୁଗୋଳ

କଣିହାଁ ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ

କଣିହାଁ,୧୭।୭(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ଦୀର୍ଘ ୧୫ ଦିନ ହେବ ଦେବଗଡ ଜିଲା ଅଞ୍ଚଳରୁ ଆସିଥିବା ୩ ହାତୀ ବ୍ଲକ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି। କଣିହାଁ ବନାଞ୍ଚଳ ଅଧୀନ ଜଙ୍ଗଲ ଛାଡ଼ି ଉକ୍ତ ହାତୀ ଯାଉନାହାନ୍ତି। ଅନ୍ୟପକ୍ଷରେ ହାତୀ ରାଜପଥରେ ଅଟକି ରହୁଥିବାରୁ ଜନସାଧାରଣ ଭୟଭୀତ ହୋଇପଡ଼ୁଛନ୍ତି। ସେହିପରି ରାତିଅଧରେ ବିଭିନ୍ନ ଗ୍ରାମକୁ ପଶି ଜନସାଧାରଣଙ୍କ ଘର ଭାଙ୍ଗିବା ସହିତ ଫସଲ ଉଜାଡ଼ି ଦେଉଛନ୍ତି। ହାତୀପଲକୁ ଘଉଡ଼ାଇବାରେ ବନ ବିଭାଗ ବିଫଳ ହୋଇଛି। ଏଥିଯୋଗୁ ବ୍ଲକର ରେଙ୍ଗାଳି, ଦଲକ, ବାଲିପଶି, ବଜ୍ରକୋଟ, ହନୁମାନପୁର, ତାଳପଦା ଓ କଣିହାଁ ପଞ୍ଚାୟତର ୨୫ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ସୋମବାର ରାତିରେ ବଡ଼ଗୁଣ୍ଡୁରୀ ପଞ୍ଚାୟତ ଅଞ୍ଚଳକୁ ଛେଣ୍ଡିପଦା ବନାଞ୍ଚଳରୁ ଏକ ଦନ୍ତା ହାତୀ ଆସି ଧାନ ଫସଲ ନଷ୍ଟ କରିଛି। ହାତୀଙ୍କ ସୁରକ୍ଷା ପାଇଁ ସୋମବାର ରାତି ୯ଟାରୁ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ କରାଯାଇଥିଲା। କଣିହାଁ ବନାଞ୍ଚଳ ଅଧିକାରୀ ପ୍ରତାପ ରାଉଳ କହିଛନ୍ତି, ବଇଣ୍ଡାରୁ ଆସିଥିବା ହାତୀ ପଳାଇଛନ୍ତି। ଦେବଗଡ଼ ଜିଲା ଅଞ୍ଚଳରୁ ଆସିଥିବା ଆଉ ୩ ହାତୀ ଏଠାରେ ରହି ବ୍ୟାପକ କ୍ଷୟକ୍ଷତି ଚଳାଇଛନ୍ତି। କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ। ହାତୀ ଘଉଡ଼ାଇବା ପାଇଁ ବନକର୍ମଚାରୀ, ଫରେଷ୍ଟର ନିୟୋଜିତ ହୋଇଛନ୍ତି।