କଣିହାଁ କୋଇଲା ଖଣିରେ ଫାଟ

କଣିହାଁ, ୧୮ା୮(ଡି.ଏନ.ଏ.)  ଅନୁଗୋଳ ଜିଲା ସ୍ଥିତ ଏମସିଏଲର କଣିହାଁ କୋଇଲା ଖଣିର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଫଳରେ ଯେ କୌଣସି ସମୟରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଖଣିର କଂସମୁଣ୍ଡା ସାଇଟରୁ ଏବେ କୋଇଲା ଖନନ ଓ ପରିବହନ ଚାଲିଛି। ଉପରି ଭାଗରେ ୨୦ ଫୁଟ ଉଚ୍ଚତାର ମାଟି ଓ କୋଇଲା ଥିବାବେଳେ ତଳୁ କୋଇଲା ଖନନ କରାଯାଉଛି। ଏଥିପାଇଁ ଦୈନିକ ଖଣିରେ ବ୍ଲାଷ୍ଟିଂ ହେଉଛି। ତେବେ ୧୦ ଦିନ ପୂର୍ବରୁ ଖଣିର ଉପର ଅଂଶରେ ଛୋଟ ଆକାରର ଫାଟ ହୋଇଥିବାବେଳେ ଏବେ ତାହା ପ୍ରାୟ ୧ ଫୁଟ ଓସାର ହୋଇଯାଇଥିବା ଦେଖିବାକୁ ମିଳିଛି। ଏ ଦିଗରେ ସତର୍କତା ଅବଲମ୍ବନ ନ କରାଗଲେ ଯେ କୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଘଟିପାରେ ବୋଲି ଶ୍ରମିକ ମହଲରେ ଆଶଙ୍କା ପ୍ରକାଶ ପାଇଛି। ଖଣି କର୍ତ୍ତୃପକ୍ଷଙ୍କ ଅବହେଳା, ସର୍ଭେଗତ ତ୍ରୁଟି ଓ ଠିକ ଭାବେ ସୁରକ୍ଷା ଯାଞ୍ଚ ହେଉ ନ ଥିବାରୁ ଏପରି ଫାଟ ସୃଷ୍ଟି ହୋଇଥିବା କେତେଜଣ ଶ୍ରମିକ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କଣିହାଁ କୋଇଲା ଖଣି ପ୍ରକଳ୍ପ ଅଧିକାରୀ ନାରାୟଣ ଦାସ ମହାପାତ୍ର କହିଛନ୍ତି, ବ୍ଲାଷ୍ଟିଂ ଯୋଗୁ ଏହି ଫାଟ ସୃଷ୍ଟି ହୋଇଛି। ଖଣି ପାଇଁ କୌଣସି ବିପଦ ନାହିଁ, କାରଣ ତଳେ ଓ ଉପରେ କଠିନ ଶିଳା ରହିଛି।