କଟାଗୋଡ଼ର ରହସ୍ୟ ଖୋଜି ପାଉନି ପୋଲିସ: ଆଜି ଫରେନ୍‌ସିକ୍‌ ଲାବ୍‌କୁ ପଠାଯିବ ନମୁନା

ଭୁବନେଶ୍ୱର, ୧୪ା୧୧(ବ୍ୟୁରୋ): ବରମୁଣ୍ଡା ଓଭରବ୍ରିଜ୍‌ ଶଙ୍ଖ ନିକଟ ଓୟୁଏଟି ନାଳରୁ ମଙ୍ଗଳବାର ଜଣେ ମଣିଷର କଟାଗୋଡ଼ ମିଳିଥିଲା। ଆଣ୍ଠୁ ତଳକୁ ମାଂସ ରହିଥିବାବେଳେ ଉପର ଅଂଶଟି କେବଳ ହାଡ଼ ଥିଲା। ତେବେ ଘଟଣାର ୨୪ ଘଣ୍ଟା ପରେ ବି ପୋଲିସକୁ ଉକ୍ତ କଟାଗୋଡ ସମ୍ପର୍କରେ କୌଣସି ଅଧିକ ତଥ୍ୟ ପ୍ରମାଣ ମିଳିପାରି ନାହିଁ। ଶରୀରର ଅନ୍ୟ କୌଣସି ଅଙ୍ଗ ମିଳି ନ ଥିବା ଘଟଣା ରହସ୍ୟ ଘେରରେ ରହିଛି। ଗୁରୁବାର ଉକ୍ତ କଟା ଗୋଡ଼ର ପଞ୍ଚନାମା ପରେ ଏହାର ନମୁନାକୁ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଷ୍ଟେଟ ଫରେନସିକ ସାଇନ୍ସ ଲ୍ୟାବ୍‌(ଏସ୍‌ଏଫ୍‌ଏସ୍‌ଏଲ୍‌)କୁ ପରୀକ୍ଷା କରିବାକୁ ପଠାଯିବ। ଯଦି ଅନ୍ୟ କୌଣସି ଥାନାରେ ହତ୍ୟା କିମ୍ବା ନିଖୋଜ ସଂକ୍ରାନ୍ତ ଅଭିଯୋଗ ଆସିବ, ତେବେ ଏହାର ଡିଏନ୍‌ଏ ମ୍ୟାଚ୍‌ କରାଯାଇ ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ ବୋଲି ଖଣ୍ଡଗିରି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି।
ତାଙ୍କ ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନରେ ଜଣେ ବ୍ୟକ୍ତି ଓୟୁଏଟି ନାଳକୁ ଶୌଚପାଇଁ ଯାଇଥିବାବେଳେ ଉକ୍ତ କଟାଗୋଡ଼ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖଣ୍ଡଗିରି ଥାନା ପୋଲିସ ଉକ୍ତ ଗୋଡକୁ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ଗୋଡ଼ ମିଳିବା ସ୍ଥାନ ଓ ଆଖପାଖରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ ମୃତ ବ୍ୟକ୍ତି କିମ୍ବା ଅନ୍ୟ କୌଣସି ଅଙ୍ଗ ମିଳିପାରିନି। ଏହି ଗୋଡ଼ଟି ପୁରୁଷ ନା ମହିଳାଙ୍କର ତାହା ମଧ୍ୟ ଜଣାପଡିନାହିଁ। କେବଳ ୨୦ରୁ ୩୦ବର୍ଷ ବୟସ୍କ ବ୍ୟକ୍ତିର ହୋଇଥିବା ଅନୁମାନ କରାଯାଉଛି। ଏପରି କି ଜବତ ଗୋଡ଼ରେ ମାଟି ଲାଗିଥିବାରୁ ତାହାକୁ କୁକୁର କେଉଁଠୁ ଗୋଟାଇ ଆଣିଥିବା ପୋଲିସ ସନ୍ଦେହ କରୁଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ହତ୍ୟାକାଣ୍ଡ ଚର୍ଚ୍ଚା ଚାଲିଛି। ହତ୍ୟା ପରେ କେହି ପୋଲିସକୁ ଭୁଅଁା ବୁଲାଇବା ପାଇଁ ମୃତବ୍ୟକ୍ତିଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ବିଭିନ୍ନ ସ୍ଥାନରେ ପିଙ୍ଗି ଦେଇଥିବା କୁହାଯାଉଛି। ପୋଲିସ ୨୯୬/୧୯ରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।