କଟକ ସୌନ୍ଦର୍ଯ୍ୟକରଣ ଅତ୍ୟାଧୁନିକ ପଦ୍ଧତିରେ କର: ମନ୍ତ୍ରୀ

ଭୁବନେଶ୍ୱର,୧।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ କଟକ ଗସ୍ତ କରି ସହରର ସୌନ୍ଦର୍ଯ୍ୟକରଣ ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସବୁଠାରୁ ପୂରୁଣା ସହର କଟକର ବିଭିନ୍ନ ରାସ୍ତାଗୁଡିକର ପ୍ରଶସ୍ତିକରଣ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେବାପରେ ଏନେଇ ତତ୍ପରତା ପ୍ରକାଶ ପାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଶନିବାର କଟକ ସହରର ଅଧିକ ସୌନ୍ଦର୍ଯ୍ୟକରଣ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। କଟକ ମୁଖ୍ୟ ରାସ୍ତା ତଥା ମଧୁପାଟଣାଠାରୁ ବାଦାମବାଡ଼ି, କଟକ ରେଲ୍‌ଓ୍ବେ ଷ୍ଟେଶନ୍‌ଠାରୁ ରେଭେନ୍ସା କଲେଜ, ମଙ୍ଗଳାବାଗ, ଜୋବ୍ରା ଓ ସତୀଚଉରା ରୋଡ୍‌ଗୁଡ଼ିକର ପ୍ରଶସ୍ତିକରଣ ଏବଂ ଉନ୍ନତିକରଣ କାର୍ଯ୍ୟ କରାଯିବ। ଏହିସବୁ ରାସ୍ତାକଡରେ ବୃକ୍ଷରୋପଣ, ଆଲୋକୀକରଣ, ପରିମଳ ବ୍ୟବସ୍ଥା ଆଦି କାର୍ଯ୍ୟକୁ ଅତ୍ୟାଧୁନିକ ପଦ୍ଧତିରେ କରାଯାଇ ସହରକୁ ସ୍ମାର୍ଟସିଟି କରିବା ଉପରେ ମନ୍ତ୍ରୀ ଜେନା ଗୁରୁତ୍ବାରୋପ କରିଛନ୍ତି। ଏହାସହିତ କଟକରେ ସପିଙ୍ଗ୍‌ ପ୍ଲାଜା, ବିବାହ ମଣ୍ଡପ ଇତ୍ୟାଦି ନିର୍ମାଣ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଜେନା ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକରେ କଟକ ଜିଲାପାଳ ଭବାନୀ ଶଙ୍କର ଚଇନି, କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ, ନିର୍ବାହୀ ଅଧିକାରୀ ରମେଶ କୁମାର ମହାନ୍ତି, ସିଡିଏ ଆଇନ ଅଧିକାରୀ ଜ୍ଞାନଚନ୍ଦ୍ର ପ୍ରସାଦ ସାମଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।