କଟକଣା ମାନି ରଥଯାତ୍ରା ଆୟୋଜନ ହେଉ

ପୁରୀ ଅଫିସ, ୪ା୫: ମହାମାରୀ କରୋନା ପାଇଁ ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗିରହିଛି। ଏଭଳି ସ୍ଥିତିରେ ପୁଣିଥରେ ରଥଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଦଇତାପତି ନିଯୋଗ। କରୋନା ପାଇଁ ରଥଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ନ କରି କଟକଣା ମଧ୍ୟରେ ଆୟୋଜନ କରିବା ଲାଗି ନିଯୋଗ ପକ୍ଷରୁ ଅନୁରୋଧ କରାଯାଇଛି। କେଉଁଭଳି କଟକଣା କଲେ ଜୀବନ ସୁରକ୍ଷିତ ସାଙ୍ଗକୁ ରଥଯାତ୍ରା ସମ୍ପନ୍ନ ହୋଇପାରିବ ସେ ନେଇ ନିଯୋଗ କେତେକ ପ୍ରସ୍ତାବ ମଧ୍ୟ ଦେଇଛି।
ପୁରୀ ଗ୍ରୀନ୍‌ ଜୋନ୍‌ରେ ଥିବାରୁ ରଥଯାତ୍ରା କରାଯାଉ। ଏହାଦ୍ୱାରା ପରମ୍ପରା ରକ୍ଷା କରାଯାଇପାରିବ। ଏବେ ବି ସମୟ ଅଛି, ରଥ ନିର୍ମାଣ ପାଇଁ ଅନୁମତି ଦିଆଗଲେ ଠିକଣା ସମୟକୁ ତିନିରଥ ପ୍ରସ୍ତୁତ ହୋଇଯିବେ। ରଥଖଳାକୁ ନିୟମିତ ସାନିଟାଇଜ କରାଯିବା ସହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିମାନଙ୍କ କୋଭିଡ୍‌ ଟେଷ୍ଟ ସାଙ୍ଗକୁ ଘରେ ସେମାନେ ସଙ୍ଗରୋଧ ରହିବେ। ସରକାରଙ୍କ ସବୁ କଟକଣାକୁ ମାନି ରଥଯାତ୍ରା ଆୟୋଜନ କରିବା ଲାଗି ନିଯୋଗ ଏଭଳି ପ୍ରସ୍ତାବ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି। ସୂଚନାଥାଉ କି ପୂର୍ବରୁ ମଧ୍ୟ ଦଇତାପତି ନିଯୋଗ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲା।