କଂଗ୍ରେସ ଭାଇଙ୍କ ପରଲୋକ

ଠାକୁରମୁଣ୍ଡା, ୨୧ା୩(ଡି.ଏନ.ଏ): ମୟୂରଭଞ୍ଜର ଭୂମିପୁତ୍ର ସେବକ କଂଗ୍ରେସ ଭାଇଙ୍କର ଶୁକ୍ରବାର ପରଲୋକ ଘଟିଛି। ଶ୍ୱାସ ରୋଗରେ ପୀଡ଼ିତ ହୋଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ମଧ୍ୟାହ୍ନ ୧୨.୩୦ ମିନିଟ ସମୟରେ ତାଙ୍କର ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଏହି ଖବର ପ୍ରସାରିତ ହେବା ପରେ ପାଞ୍ଚପୀଢ ଉପଖଣ୍ଡ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସ୍ବର୍ଗତ କଂଗ୍ରେସ ଭାଇ ଛାତ୍ର ଜୀବନରେ ଆଚାର୍ଯ୍ୟ ବିନୋବା ଭାବେଙ୍କ ସହିତ ରହି କାର୍ଯ୍ୟ କରି ଆସୁଥିଲେ। ସେ ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ। ଓଡ଼ିିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନୀତ କରାଯାଇଛି। ସେ ବହୁ ଲେଖା ଏବଂ କବିତା ଲେଖି ଯାଇଛନ୍ତି। କରଞ୍ଜିଆ ନିକଟ କୁରୁଲିଆଠାରେ ଏକ ଅନାଥ ଆଶ୍ରମ କରି ଅସହାୟ ପିଲାମାନଙ୍କୁ ଶିକ୍ଷାଦାନ କରାଉଥିଲେ। ମରଶରୀର କରଞ୍ଜିଆଠାରେ ପହଞ୍ଚିବା ପରେ ଉପ ଜିଲାପାଳଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀ, ବୁଦ୍ଧିଜୀବୀ, ସାଧାରଣ ଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ। ଜନ୍ମସ୍ଥାନ ରରୁଆଁ ବ୍ଲକ ସିରାକୁଲ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ।