ଓୟୁଏଟି ପ୍ରବେଶିକା ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ମାମଲା: ୪ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଓୟୁଏଟି ପ୍ରବେଶିକା ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ଧରାପଡ଼ିବା ପରେ ଏହା ପଛରେ ଏକ ବଡ଼ ର଼୍ୟାକେଟ୍‌ କାମ କରୁଥିବା ପୋଲିସ ଜାଣିବାକୁ ପାଇଥିଲା। ଏ ନେଇ ଅଧିକ ଖୋଳତାଡ଼ କରିବା ଲାଗି ଗିରଫ ୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡ ନେବାକୁ ଖଣ୍ଡଗିରି ପୋଲିସ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଥିଲା। ତେବେ ଶନିବାର କୋର୍ଟ ଅଭିଯୁକ୍ତମାନଙ୍କୁ ୨ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଏହାପରେ ପୋଲିସ ସେମାନଙ୍କୁ ପଚରାଉଚରା କରି ର଼୍ୟାକେଟର ପର୍ଦ୍ଦାଫାଶ କରିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ରବିବାର ଓୟୁଏଟି ପ୍ରବେଶିକା ପରୀକ୍ଷା ଥିଲା। ଖଣ୍ଡଗିରି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରୀକ୍ଷା କେନ୍ଦ୍ରରେ ରାଜସ୍ଥାନର ଆଦର୍ଶ ଚୌଧୁରୀ ନାମକ ଜଣେ ଯୁବକ ପୁରୀ ଗୋପ ଅଞ୍ଚଳର ଯୁଧିଷ୍ଠିର ମଲ୍ଲିକଙ୍କ ନାମରେ ପରୀକ୍ଷା ଦେଉଥିଲେ। ମାତ୍ର ପରୀକ୍ଷା ଦେବା ସମୟରେ ସେ ଯୁଧିଷ୍ଠିର ନାମ ଲେଖିବା ପରିବର୍ତ୍ତେ ନିଜ ନାମକୁ ଭୁଲ୍‌ରେ ଲେଖି ଦେଇଥିଲେ। ଫଳରେ ପରୀକ୍ଷା ହଲ୍‌ରେ ଥିବା ଇନ୍‌ଭିଜିଲେଟରଙ୍କ ସନ୍ଦେହ ହୋଇଥିଲା। ସେ ଆଡ୍‌ମିଟ୍‌ କାର୍ଡରେ ଥିବା ଫଟୋ ଓ ପରୀକ୍ଷା ଦେଉଥିବା ଆଦର୍ଶଙ୍କ ଚେହେରାକୁ ଦେଖି ଅଲଗା ବୋଲି ଜାଣିବାକୁ ପାଇଥିଲେ। ଏ ନେଇ ସେ ତୁରନ୍ତ ଖଣ୍ଡଗିରି ପୋଲିସକୁ ଜଣାଇଥିଲେ। ପୋଲିସ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ନକଲି ପରୀକ୍ଷାର୍ଥୀ ବୋଲି ସ୍ପଷ୍ଟ ହୋଇଥିଲା। ତାଙ୍କ ବୟାନ ଆଧାରରେ ଅନ୍ୟ ସେଣ୍ଟରରେ ପରୀକ୍ଷା ଦେଉଥିବା ଝାଡଖଣ୍ଡର ଅମିତ କୁମାର ସିଂ ଓ ବିହାରର ଅମିୟ ଭୂଷଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ଅଧିକ ପଚରାଉଚରା କରିବା ପରେ ଏହା ପଛରେ ଏକ ର଼୍ୟାକେଟ କାମ କରୁଥିବା ଏବଂ ଏଥିଲାଗି ଲକ୍ଷ ଲକ୍ଷ ଟଙ୍କା ଡିଲ୍‌ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା। ଡିଲ୍‌ କରାଯାଇଥିବା ହୋଟେଲ୍‌ରେ ପୋଲିସ ଚଢ଼ାଉ କରି ନୟାପଲ୍ଲୀ ଅଞ୍ଚଳର ରଞ୍ଜିତ କୁମାର ବେଉରାଙ୍କୁ ଗିରଫ କରିଥିଲା।