ଓ୍ବାର୍ଡସଭ୍ୟଙ୍କୁ ଭୁଜାଲିରେ ହାଣି ହତ୍ୟା

ଛେଣ୍ଡିପଦା/ବନ୍ତଳା, ୩୦।୯ (ସ୍ବ.ପ୍ର./ଡି.ଏନ.ଏ.) ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଅନ୍ତୁଳିଆ ଗ୍ରାମରେ ରବିବାର ଏକ ହତ୍ୟାକାଣ୍ଡ ଘଟିଛି। ସାତକୋଶିଆ ଭାଜପା ମଣ୍ଡଳ ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା ସଭାପତି ତଥା ଅନ୍ତୁଳିଆ ପଞ୍ଚାୟତ ୭ନଂ. ୱାର୍ଡର ୱାର୍ଡମେମ୍ବର ଜଗବନ୍ଧୁ ବେହେରା(୬୦)ଙ୍କୁ ସେହି ଗ୍ରାମର ସଦାନନ୍ଦ ଗଡ଼ନାଏକ (୫୦) ଭୁଜାଲିରେ ଆକ୍ରମଣ କରି ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ଜଗବନ୍ଧୁଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ମୁତାବକ, ଜଗବନ୍ଧୁ ଓ ସଦାନନ୍ଦଙ୍କ ଘର ମଧ୍ୟରେ ପୂର୍ବରୁ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ରାତି ପ୍ରାୟ ସାଢେ ୮ଟାରେ ଜଗବନ୍ଧୁ ଗାଁ ଛକରେ ଛିଡା ହୋଇଥିବାବେଳେ ହଠାତ ସଦାନନ୍ଦ ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ଜଗବନ୍ଧୁଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ସଦାନନ୍ଦ ସେଠାରୁ ଫେରାର ହୋଇଯାଇଛନ୍ତି। ଥାନା ଅଧିକାରୀ ବିକ୍ରମ ବିହାରୀ ଜୟପୁରିଆ, ଏଏସ୍‌ଆଇ ଶ୍ରୀ ସାମଲ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢାଉ ଜାରି ରହିଛି। ଏ ସଂକ୍ରାନ୍ତରେ ଥାନାରେ ନଂ. ୫୦/୧୯ରେ ଏକ ମାମଲା ରୁଜୁ ହୋଇଛି।