ଓସ୍କାର ଦୌଡ଼ରେ ଥିବା ଚଳଚ୍ଚିତ୍ରରେ ଶୁଭ୍ରାଂଶୁ

କଟକ ଅଫିସ୧୩ା୧:: ଚଳିତବର୍ଷ ‘ଓସ୍କାର’ ଆୱାର୍ଡ ଦୌଡ଼ରେ ରହିଛି ବିଶ୍ୱର ୩୦୦ରୁ ଊର୍ଦ୍ଧ୍ୱ ଫିଲ୍ମ। ଏହି ଦୌଡରେ ସାମିଲ ହୋଇଛି ବଲିଉଡର ଏକ ଚଳଚ୍ଚିତ୍ର ‘ଲାଷ୍ଟ କଲର’। ବିକାଶ ଖାନାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଡାଇରେକ୍ଟର ଅଫ୍‌ ଫଟୋଗ୍ରାଫି(ଡିଓପି) ତଥା କ୍ୟାମେରାମ୍ୟାନ ଭାବେ ଦାୟିତ୍ୱ ତୁଲାଇଛନ୍ତି ଭୁବନେଶ୍ୱରରେ ରହୁଥିବା ଶୁଭ୍ରାଂଶୁ ଦାସ। ଓଡ଼ିଆ ସିନେମା ଜଗତରେ ଚିଣ୍ଟୁ ନାମରେ ସେ ବେଶ୍‌ ପରିଚିତ। ସୋମବାର ଏହି ଆୱାର୍ଡର ନୋମିନେଶନ ତାଲିକା ପ୍ରକାଶ ପାଇବ। ‘ଲାଷ୍ଟ କଲର’ ଚୂଡ଼ାନ୍ତ ତାଲିକା ଭିତରେ ଅନ୍ତର୍ଭୁକ୍ତ ହେଲେ ଓଲିଉଡ୍‌ ଇତିହାସରେ ଏକ ସଫଳତାର ଫର୍ଦ୍ଦ ଯୋଡ଼ି ହେବ।
ଏହି ଚଳଚ୍ଚିତ୍ରରେ ଲାଇନ ପ୍ରଡ୍ୟୁସର ଭାବେ ଦାୟିତ୍ୱ ତୁଲାଇଛନ୍ତି ଖ୍ୟାତନାମା ପ୍ରଯୋଜକ ତଥା ନିର୍ଦ୍ଦେଶକ ନୀଳମାଧବ ପଣ୍ଡା। ଡିଓପି ଭାବେ କାର୍ଯ୍ୟ କରିବାକୁ ନୀଳମାଧବ ହିଁ ପ୍ରସ୍ତାବ ଦେଇଥିଲେ ବୋଲି ଶୁଭ୍ରାଂଶୁ କହିଛନ୍ତି। ଭୁବନେଶ୍ୱରରେ ରହୁଥିବା ଶୁଭ୍ରାଂଶୁଙ୍କ ଘର ବେଗୁନିଆ ଅଞ୍ଚଳରେ। ୮ଟି ଓଲିଉଡ୍‌ ଫିଲ୍ମରେ କାର୍ଯ୍ୟ କରିଥିବା ଏହି ପ୍ରତିଭାସମ୍ପନ୍ନ ଡିଓପି ବଲିଉଡ୍‌ରେ ନିଜ ପ୍ରତିଭାର ଛାପ ଛାଡ଼ିଛନ୍ତି। ୨୦୧୨ରେ ମୁକ୍ତିଲାଭ କରିଥିବା ଫିଲ୍ମିସ୍ତାନ ଚଳଚ୍ଚିତ୍ର ତାଙ୍କୁ ବମ୍ବେରେ ପ୍ରତିଷ୍ଠିତ କରାଇଛି ବୋଲି ସେ କହିଛନ୍ତି। ଏବେ ସୁଦ୍ଧା ବଲିଉଡ୍‌ରେ ୧୧ଟି ଚଳଚ୍ଚିତ୍ରରେ କାର୍ଯ୍ୟ କରି ସାରିଲେଣି। ଜାତୀୟ ଟେଲିଭିଜନରେ ପ୍ରଦର୍ଶିତ ହୋଇଥିବା ସିଆଡି, ଫିର କୋଇ ହେ ଭଳି ଅନେକ ସିରିଏଲରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ‘ଅଭିମନ୍ୟୁ’ ନିମନ୍ତେ ଶୁଭ୍ରାଂଶୁଙ୍କୁ ୨୦୦୯ରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା।