Categories: ଖେଳ

ଓସିଏ ନିର୍ବାଚନ: ହେବ କଡା ଟକ୍କର; ନିର୍ଣ୍ଣାୟକ ଭୂମିକା ନେବ ସ୍କୁଲ, କଲେଜ, ମ୍ୟାଜିକ ନମ୍ବରକୁ ନେଇ ଅଙ୍କକଷା

କଟକ ଅଫିସ,୧୮ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ଆଗାମୀ କର୍ମକର୍ତ୍ତା ନିର୍ବାଚନରେ କଡ଼ା ଟକ୍କର ହେବାନେଇ ସମ୍ଭାବନା ଦୃଢ଼ୀଭୂତ ହେବାରେ ଲାଗିଛି। ମଙ୍ଗଳବାର ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ନେତୃତ୍ୱରେ ପୁରୀରେ ଅନୁଷ୍ଠିତ ବୈଠକରେ ଓସିଏ ସହ ଅନୁବନ୍ଧିତ ୩୩ଟି ୟୁନିଟର ସଦସ୍ୟ ଯୋଗ ଦେଇଥିବା ଏହି ଗୋଷ୍ଠୀ ପକ୍ଷରୁ ଦାବି କରାଯାଇଛି। ଫଳରେ ଏହି ଗୋଷ୍ଠୀ ସପକ୍ଷରେ ୪୦ରୁ ଉର୍ଦ୍ଧ୍ୱ ଭୋଟ ଥିବାନେଇ ଆକଳନ କରାଯାଉଛି। ଅନ୍ୟପକ୍ଷରେ ଆଗାମୀ ନିର୍ବାଚନରେ ଭାଗ ନେଉଥିବା ଅନ୍ୟ ଏକ ଗୋଷ୍ଠୀ ମଧ୍ୟ ତାଙ୍କ ସପକ୍ଷରେ ୩୭ରୁ ଉର୍ଦ୍ଧ୍ୱ ଭୋଟ ରହିଛି ବୋଲି ଏକ କ୍ଲବର ସମ୍ପାଦକ ଦାବି କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଉଭୟ ଗୋଷ୍ଠୀର ତୁହାକୁ ତୁହା ବୈଠକ ଓ ଭୋଟ ଆକଳନ ଆଗାମୀ ନିର୍ବାଚନର କଡ଼ା ପ୍ରତିଦ୍ୱନ୍ଦ୍ୱିତାକୁ ଦର୍ଶାଉଛି । ୭୩ ପ୍ରତିନିଧିଙ୍କୁ ନେଇ ହେଉଥିବା ରାଜ୍ୟର ଏହି କ୍ରିକେଟ ସଂଘର ନିର୍ବାଚନରେ ମ୍ୟାଜିକ ନମ୍ବର ହେଉଛି ୩୭ । ଅତିକମରେ ଏହି ନମ୍ବରକୁ ଟପିବା ଉଭୟ ଗୋଷ୍ଠୀର ମୁଖ୍ୟ ଟାର୍ଗେଟ ।
ପୁରୀରେ ଅନୁଷ୍ଠିତ ବୈଠକରେ ଆଶୀର୍ବାଦ ନେତୃତ୍ୱ ନେଇଥିଲେ। ଏଥିରେ ଯୋଗ ଦେଇଥିବା ୩୩ଟି ୟୁନିଟ ମଧ୍ୟରୁ ୨୫ ଜିଲା ସଂଘ ଥିବା ଜଣାପଡ଼ିଛି । ସଭାପତି ପ୍ରାର୍ଥି ଭାବେ ପଙ୍କଜଲୋଚନ ମହାନ୍ତି ଓ ସମ୍ପାଦକ ପ୍ରାର୍ଥି ଭାବେ ସଞ୍ଜୟ ବେହେରାଙ୍କୁ ସମର୍ଥନ କରିବା ନେଇ ଆଲୋଚନା ହୋଇଥିଲା ବୋଲି ଏହି ଗୋଷ୍ଠୀ ପକ୍ଷରୁ ପ୍ରକାଶ କରାଯାଇଛି। ଉପସଭାପତି, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ନେଇ କଣ ଆଲୋଚନା ହୋଇଛି ସ୍ପଷ୍ଟ ଭାବେ ସୂଚନା ଦିଆ ଯାଇନାହିଁ। ଏହି ୩ ପଦବୀ ମଧ୍ୟରୁ କୌଣସି ଏକ ପଦବୀ କ୍ଲବର ସମ୍ପାଦକଙ୍କୁ ଓ ଅନ୍ୟ ଦୁଇଟି ଜିଲା ସଂଘକୁ ଯିବ ବୋଲି ଆଲୋଚନା ହେଉଛି। ମ୍ୟାଜିକ ନମ୍ବର ୩୭ ସହଜରେ ଟପିହେବ ହେବ ବୋଲି ଏବେ ଆଶୀର୍ବାଦଙ୍କ ସମର୍ଥକମାନେ ଆଶା ବାନ୍ଧିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଅନ୍ୟ ଗୋଷ୍ଠୀ ପକ୍ଷରୁ ମଧ୍ୟ ସେମାନଙ୍କ ସପକ୍ଷରେ ୩୭ ସଦସ୍ୟ ରହିଥିବା ଦାବି କରାଯାଉଛି । ଆମେ ବି ପଛରେ ନାହୁଁ ବୋଲି କଟକର ଏକ କ୍ଲବର ସମ୍ପାଦକ ଦାବି କରିଛନ୍ତି । ଏହି ଗୋଷ୍ଠୀରୁ ସଭାପତି ଭାବେ ନବ ରଞ୍ଜନ ପଟ୍ଟନାୟକ ଓ ସମ୍ପାଦକ ଭାବେ ପ୍ରଦୀପ ଚୌହ୍ବାନ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ କଟକରେ କ୍ଲବ ସମ୍ପାଦକ ମାନଙ୍କୁ ନେଇ ଗଠିତ ଏହି ଗୋଷ୍ଠୀ ଅନେକ ସମୟରେ ବୈଠକ ଡାକିବା ସହ ଭୋଟ ଆକଳନକୁ ନେଇ ବ୍ୟସ୍ତ ରହୁଛନ୍ତି । ତେବେ ଉଭୟ ଗୋଷ୍ଠୀ ପାଇଁ ସ୍କୁଲ,କଲେଜ ଭୋଟ ହାତେଇବା ଏବେ ସୁଦ୍ଧା ସହଜ ହୋଇନି । ଉଭୟ ଗୋଷ୍ଠୀର ବୈଠକରେ ଜିଲା ସଂଘ, କ୍ଲବମାନେ ଯୋଗ ଦେଉଛନ୍ତି । ଏଣୁ ସ୍କୁଲ ଓ କଲେଜର ଭୋଟକୁ ନେଇ କେବଳ ପୂର୍ବାନୁମାନ ଲଗାଯାଉଛି । ସ୍କୁଲ, କଲେଜରୁ ୧୪ଟି ଭୋଟ ଥିବା ବେଳେ ରେଭେନ୍‌ଶା ଓ କିଟ୍‌ ବିଶ୍ୱବିଦ୍ୟାଳୟକୁ ମିଶାଇ ମୋଟ ୧୬ଟି ଭୋଟ ଏବେ ବି କୌଣସି ପକ୍ଷକୁ ଢ଼ଳି ନ ଥିବା କୁହାଯାଉଛି । ପାରାଦୀପ ପୋର୍ଟ, ପୂର୍ବତଟ ରେଲୱେ, ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଭୋଟ ମଧ୍ୟ ଆକଳନ ପ୍ରକ୍ରିୟା ଭିତରେ ଅଛି । ଏହି ଭୋଟଗୁଡ଼ିକୁ ହାତେଇବାନେଇ ଏବେ ଜୋରଦାର ପ୍ରୟାସ ଚାଲିଛି ।

Share