ଓସା ନିର୍ବାଚନ ପାଇଁ ବାଟ ଫିଟୁଛି

ଭୁବନେଶ୍ୱର,୭।୨ (ବ୍ୟୁରୋ)- ଓଡ଼ିଶା ସଚିବାଳୟ ସେବା ସଂଘ(ଓସା) ନିର୍ବାଚନ ସମୟ ଅତିକ୍ରାନ୍ତ ହୋଇଯାଇଛି। ନୂତନ ଭାବେ ନିଯୁକ୍ତି ପାଇଥିବା ସହକାରୀ ଉପବିଭାଗ ଅଧିକାରୀ(ଏଏସ୍‌ଓ) ଏବଂ କେତେକ ବରିଷ୍ଠ ସଚିବାଳୟ କର୍ମଚାରୀଙ୍କ ସକାରାତ୍ମକ ଉଦ୍ୟମ ଯୋଗୁ ନିର୍ବାଚନ ନେଇ ଆଶା ସଞ୍ଚାର ହୋଇଛି।

ଗତବର୍ଷ ଜୁଲାଇରୁ ଓସା କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି। ହେଲେ ସେମାନେ ପରବର୍ତ୍ତୀ ସମୟ ପାଇଁ ଗଣତାନ୍ତ୍ରିକ ଢଙ୍ଗରେ କର୍ମକର୍ତ୍ତା ଚୟନ ନେଇ କୌଣସି ପଦକ୍ଷେପ ଗ୍ରହଣ କରିବା ଦେଖାଯାଇ ନ ଥିଲା। ପୂର୍ବପଦରେ ରହିବା ପାଇଁ ଓସା ସାଧାରଣ ପରିଷଦ ବୈଠକର ଅନୁମୋଦନ ଆବଶ୍ୟକ ହୋଇଥାଏ, ହେଲେ ଏହା ନ କରି କାର୍ଯ୍ୟକର୍ତ୍ତା ନିଜ ଦାୟିତ୍ୱରେ ପୂର୍ବପରି ରହିଥିବା ଲକ୍ଷ୍ୟ କରାଯାଇଥିଲା। ଗତବର୍ଷ ଓସାର ୧୨୦୦ ସଭ୍ୟ ଗୃହ ବିଭାଗର ଦୃଷ୍ଟି ଆକର୍ଷଣ କରି ନିର୍ବାଚନ ପାଇଁ ଦାବି କରିଥିଲେ। ଏହି ଦାବିକୁ ବିଚାର କରି ଗୃହ ବିଭାଗ ପକ୍ଷରୁ ୨୦୧୯ ଅକ୍ଟୋବର ଶେଷ ସୁଦ୍ଧା ସମସ୍ତ ପ୍ରକ୍ରିୟା ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାକୁ କାର୍ଯ୍ୟକାରୀ କରାଗଲା ନାହିଁ। ଇତିମଧ୍ୟରେ ନୂତନ ଏଏସ୍‌ଓମାନେ ପୁରାତନ କର୍ମଚାରୀ ଏବଂ ସଂଘର କାର୍ଯ୍ୟକର୍ତ୍ତାଙ୍କୁ ନିର୍ବାଚନ ପାଇଁ ପ୍ରବର୍ତ୍ତାଇଛନ୍ତି। ସେମାନଙ୍କ ଉଦ୍ୟମରେ ୨ଟି ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଅନେକ ବିଷୟରେ ସହମତି ଆସିପାରିଛି। ସେହିଭଳି ପରବର୍ତ୍ତୀ ବୈଠକକୁ ସମସ୍ତ ସଭ୍ୟଙ୍କୁ ଡକାଯାଇଥିବା ଜଣାପଡ଼ିଛି। ଏହି ବୈଠକରେ ଓସା ନିର୍ବାଚନ ପାଇଁ ବାଟ ଫିଟିବ ବୋଲି ଜଣାପଡ଼ିଛି।