ଓଲଟିଲା ବରଯାତ୍ରୀ ଭ୍ୟାନ୍‌: ୨ ମୃତ; ୪୦ରୁ ଊର୍ଦ୍ଧ୍ୱ ଆହତ

ଜୟପୁର/ବୋରିଗୁମ୍ମା,୩।୬(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବି.ସିଂହପୁର ଥାନା ବୋଡ଼ିଗାଁରୁ ଗୁରୁମାଇଁଗୁଡ଼ା ଗ୍ରାମକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ବୁଧବାର ଏକ ଭ୍ୟାନ୍‌ ଓଲଟି ପଡ଼ିଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚଞ୍ଚଳା ଜାନୀ ଓ ତୁଳସୀ ଜାନୀ। ସେହିଭଳି ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁୁ ତାଙ୍କୁ ଜୟପୁର ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନାନୁଯାୟୀ, ବୋଡିଗାଁଠାରୁ ମୁଣ୍ଡିଗୁଡା ଗ୍ରାମ ଅଭିମୁଖେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ଏକ ୪୦୭ ଭ୍ୟାନ୍‌ ବାହାଘର କାର୍ଯ୍ୟକ୍ରମକୁ ଯାଉଥିଲା। ହେଲେ ଗୁରୁମଇଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଭ୍ୟାନ୍‌ଟି ଓଲଟି ପଡିଥିଲା। ଖବର ପାଇ ବି.ସିଂହପୁର ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସେପଟେ ଗୁରୁତରଙ୍କୁ କୁମୁଲି ମେଡିକାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା। ସେଠାରେ ୪ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜୟପୁର ମେଡିକାଲ ପଠାଯାଇଛି।