ଓଲଟିଲା ଟାଟା ମ୍ୟାଜିକ୍‌: ୨୩ ଆହତ

କୋଟଗଡ, ୧୦।୧୨(ଡି.ଏନ.ଏ): କନ୍ଧମାଳ ଜିଲା କୋଟଗଡ ବ୍ଲକ ମଦାଙ୍ଗି ନିକଟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ସକାଳ ୯.୩୦ରେ ଏକ ଯାତ୍ରୀବାହୀ ଟାଟା ମ୍ୟାଜିକ୍‌(ନଂ-ଓଡି୧୨ସି୩୦୭୨) ଗାଡି ଭାରସାମ୍ୟ ହରାଇ ଓଲଟି ପଡିଛି। ଫଳରେ ୨୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗାଡିରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ବସିଥିଲେ। ସୂଚନାଯୋଗ୍ୟ, ଗୁଗୁରୁମାହା ପଞ୍ଚାୟତର ଭୁତାଡି ଗ୍ରାମର ଏକ ଟାଟା ମ୍ୟାଜିକ୍‌ ଗାଡିରେ ମଙ୍ଗଳବାର ହାଟ କରିବା ପାଇଁ ଯାତ୍ରୀମାନେ କୋଟଗଡ ବ୍ଲକ ଆସୁଥିଲେ। ଗାଡିଟି ଭାରସାମ୍ୟ ହରାଇ ମଦାଙ୍ଗି ନିକଟରେ ଓଲଟି ପଡିଥିଲା। ଆହତଙ୍କୁ ପ୍ରଥମେ କୋଟଗଡ ଡାକ୍ତରଖାନାରେ ଚିକିତ୍ସିତ କରାଯାଇ ୧୮ଜଣକୁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେଥିମଧ୍ୟରୁ ୩ ଜଣଙ୍କ ଗୁରୁତର ଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଗାଡି ଚାଳକ ଫେରାର ଥିବାବେଳେ କୋଟଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଯବତ କରିବା ସହ ତଦନ୍ତ ଚଳାଇଛି।