ଓଡ଼ିଶା ସୀମା ପାରି ହେଉଥିବା ୧୧ ବଙ୍ଗୀୟ ଶ୍ରମିକ ଧରାପଡିଲେ

ଭୋଗରାଇ, ୧୭।୪(ଡି.ଏନ.ଏ.)-କରୋନା ଲାଗି ସମଗ୍ର ଦେଶ ଲକ୍‌ଡାଉନ୍‌ ଥିବାବେଳେ ଗତ ଗୁରୁବାର ରାତିରେ ଏକ ବୋଲେରୋରେ ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପାରି ହେଉଥିବା ୧୧ଜଣ ବଙ୍ଗୀୟ ଶ୍ରମିକ ପୋଲିସ ହାତରେ ଧରାପଡିଛନ୍ତି। ବୋଲେରୋକୁ ଜବତ କରାଯାଇ ସମସ୍ତଙ୍କୁ କମର୍ଦ୍ଦା ଜଗନ୍ନାଥ ସରକାରୀ ଉଚ୍ଚବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖି ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି।
ବୋଲେରୋ ଡ୍ରାଇଭର ଗାଡ଼ି ସମ୍ମୁଖରେ କମିଶନରେଟ୍‌ ପୋଲିସ ଲେଖି ଭୁବନେଶ୍ୱର-କଟକରେ କାର୍ଯ୍ୟରତ ବଙ୍ଗୀୟ ଶ୍ରମିକଙ୍କୁ ବସାଇ ଚତୁରତାର ସହ ଖସି ପଳାଉଥିବା ବେଳେ ପାଟ୍ରୋଲିଂ କରୁଥିବା ପୋଲିସ ଓ ଡାକ୍ତରଙ୍କ ହାବୁଡ଼ରେ ପଡ଼ିଥିଲେ। ଉକ୍ତ ଗାଡ଼ିରେ ଡ୍ରାଇଭରଙ୍କ ସହ ୧୦ଜଣ ବସିଯାଉଥିବା ସନ୍ଦେହ ଘେରକୁ ଆସିବାରୁ ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ସମସ୍ତ କାଗଜପତ୍ର ନକଲି ଥିବାରୁ ସେମାନଙ୍କୁ ଅଟକା ଯାଇ କ୍ୱାରାଣ୍ଟାଇନରେ ରଖାଯାଇ ଚିକିତ୍ସା କରାଯାଉଛି। ଲକ୍‌ଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ କମର୍ଦ୍ଦା ପୋଲିସ ଏକ ମାମଲା (ନଂ. ୩୬/୨୦) ରୁଜୁ କରି ଗାଡ଼ିକୁ ସିଜ୍‌ କରିଛି। ଅପରପକ୍ଷେ ଭିନ୍ନ ରାଜ୍ୟରେ ଫସିଥିବା ବାଲେଶ୍ୱର ଜିଲା ସମେତ ପଡ଼ୋଶୀ ପଶ୍ଚିମବଙ୍ଗର ବହୁ ବ୍ୟକ୍ତି ଆନ୍ଧ୍ର ମାଛ ଓ ଅଣ୍ଡା ଗାଡ଼ିରେ ଲୁଚି ପଳାଇ ଆସୁଥିବା ଖବର ମିଳୁଛି। ଗୁରୁବାର ରାତିରେ ଭୋଗରାଇ ଅଞ୍ଚଳର ବହୁ ଯୁବକ ଲୁଚି ପଳାଇ ଆସିଥିଲେ। ଏନେଇ ଗାଁ ଲୋକେ ଡାକ୍ତରଖାନା, ପ୍ରଶାସନ ଓ ପୋଲିସକୁ ସୂଚନା ଦେଇଛନ୍ତି।