ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାରସ୍ବତ ଆସର: ‘ସାହିତ୍ୟ ସମାଜର ଦର୍ପଣ’

ଢେଙ୍କାନାଳ ଅଫିସ, ୫।୮:  ଭାଷା ଭିତ୍ତିରେ ଗଠନ ହୋଇଥିଲା ଓଡ଼ିଶା ପ୍ରଦେଶ। ଏହାର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଜାତି ଏବଂ ଓଡ଼ିଆ ଭାଷାକୁ ସ୍ବତନ୍ତ୍ର ମର୍ଯ୍ୟାଦା ଦେବା। ବିଭିନ୍ନ ସମୟରେ ଓଡ଼ିଆ ଭାଷା ପ୍ରତି ବିପଦ ଦେଖାଦେଇଛି। ଏଭଳି ସଙ୍କଟମୟ ପରିସ୍ଥିତିରେ ଯୋଗଜନ୍ମା ପୁରୁଷମାନଙ୍କ ଅଭ୍ୟୁଦୟ ହୋଇଛି। ସେମାନେ କଲମ ଚାଳନା କରି ଓଡ଼ିଆ ଭାଷା ସାହିତ୍ୟର ଗରିମା ରକ୍ଷା କରିଛନ୍ତି। ସାହିତ୍ୟ ହେଉଛି ସମାଜର ଦର୍ପଣ। ଏହାକୁ ଉଭୟ ସାହିତି୍ୟକ, ସାହିତ୍ୟପ୍ରେମୀ ହୃଦ୍‌ବୋଧ କରିବା ଉଚିତ ବୋଲି କହିଛନ୍ତି ସାମାଜିକ କର୍ମୀ ଯୋଗେନ୍ଦ୍ରନାଥ ତ୍ରିପାଠୀ। ସ୍ଥାନୀୟ ଗୋପବନ୍ଧୁ ଟାଉନହଲ୍‌ରେ ରବିବାର ଓଡ଼ିଶା ସାହିତ୍ୟ ଏକାଡେମୀର ଜିଲାସ୍ତରୀୟ ସାରସ୍ବତ ସମାରୋହ ଓ କବିତା ପାଠୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।
ଓଡ଼ିଆ ସାହିତ୍ୟର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ମୁଖ୍ୟବକ୍ତା ପ୍ରଫେସର ଡ. ନିଶାମଣି ସ୍ବାଇଁ ମତବ୍ୟକ୍ତ କରିଥିଲେ। ଉତ୍ସବରେ ଅଧ୍ୟକ୍ଷତା କରି ଏକାଡେମୀର ସଦସ୍ୟ କବି ମନୋରଞ୍ଜନ ନନ୍ଦ କହିଲେ ଯେ, ଭାଷାରୁ ସାହିତ୍ୟ ସୃଷ୍ଟି। ସାମାଜିକ ପରିବର୍ତ୍ତନକୁ ଅଗ୍ରାଧିକାର ଦେଇ ଲେଖକମାନେ ଲେଖନୀ ଚାଳନା କରିବା ଉଚିତ ବୋଲି ସେ କହିଥିଲେ। ଏହି ଅବସରରେ ଲେଖକ ସୁଧାଂଶୁ ଦାଶଙ୍କ ରଚିତ ପୁସ୍ତକ ‘ନିଷ୍ପାପ ଲଗ୍ନ’ ଉନ୍ମୋଚିତ ହୋଇଥିଲା। ଏଥିସହ ଆଦିକ ନନ୍ଦ, ଓମ୍‌କାର ମାଝିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏକାଡେମୀର ବରିଷ୍ଠ ସହକାରୀ ସଞ୍ଜୟ ଛୁଆଳସିଂ ସ୍ବାଗତ ଭାଷଣ ଏବଂ ଶିଳ୍ପୀ ପରେଶ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
ଅପରାହ୍ନରେ ଆୟୋଜିତ ‘ଢେଙ୍କାନାଳ ଲୋକ ସାହିତ୍ୟ’ ଶୀର୍ଷକ ଆଲୋଚନାଚକ୍ରରେ ଶିକ୍ଷାବିତ୍‌ ଡ. ଧନେଶ୍ୱର ସାହୁ, ଡ. ଭବାନୀ ଶଙ୍କର ମିଶ୍ର, ଡ. ପୁଷ୍ପଲତା ରଥ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଏକାଡେମୀର ସଦସ୍ୟା ସଂଯୁକ୍ତା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମାକ୍ଷିତମାମି ମହାପାତ୍ର, ବୀରାଲକ୍ଷ୍ମୀ ରଣାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠଚକ୍ରରେ ଅତିଥିଭାବେ କବୟିତ୍ରୀ ପ୍ରଭାସିନୀ ମହାକୁଡ, ଡ. ରମେଶ ପାଣି ମଞ୍ଚାସୀନ ଥିଲେ। ମମତା ମିଶ୍ର ସ୍ବାଗତ ସଙ୍ଗୀତ ଗାନ କରିଥିଲେ।