ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍‌: ସିଂହଦ୍ୱାରରେ ମହାଦୀପ ଦାନ, ରସଗୋଲା ଭୋଗ

ପୁରୀ ଅଫିସ, ୨୯ା୭: ଓଡ଼ିଶା ରସଗୋଲାକୁ ମିଳିଛି ଜିଆଇ ଟ୍ୟାଗ୍‌। ଓଡ଼ିଶା ରସଗୋଲା ପାଇଛି ଭୌଗଳିକ ପରିଚୟ। ମାଡ୍ରାସ ଜିଆଇ କାର୍ଯ୍ୟାଳୟରୁ ଏହି ମାନ୍ୟତା ମିଳିବା ପରେ ସମଗ୍ର ରାଜ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ସୋସିଆଲ ମିଡ଼ିଆରେ ଛାଇଯାଇଛି ରସଗୋଲା ଓଡ଼ିଶାର। ତେବେ ଏହାକୁ ନେଇ ପୁରୀବାସୀ ଅଧିକ ଖୁସି ଜାହିର କରିଛନ୍ତି। କାରଣ ରସଗୋଲା କାହାର ପ୍ରଶ୍ନ ଉଠିବାବେଳେ ଆପେ ଆପେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଅଭିମାନୀ ଲକ୍ଷ୍ମୀ ଠାକୁରାଣୀଙ୍କ କଥା ସମସ୍ତଙ୍କ ମନକୁ ଚାଲିଆସେ। ନୀଳାଦ୍ରିବିଜେ ସମୟରେ ମହାପ୍ରଭୁ ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିଥାନ୍ତି। ଜଗନ୍ନାଥ ସଂସ୍କୃତିରେ ଏହାର ବେଶ୍‌ ମହତ୍ତ୍ୱ ରହିଛି। ତେଣୁ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିବା ପରେ ସୋମବାର ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ମହାଦୀପ ଦାନ କରାଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ସାମିଲ ହୋଇ ରସଗୋଲା ଭୋଗ କରିବା ସହ ରସଗୋଲା ଆମର ବୋଲି ସ୍ଲୋଗାନ ଦେଇଥିଲେ।
ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, କାହିଁ କେତେ କାଳରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ରହିଛି ରସଗୋଲା। ରଥଯାତ୍ରା ସାରି ଶ୍ରୀମନ୍ଦିରକୁ ଫେରିବା ସମୟରେ ମହାପ୍ରଭୁ ରସଗୋଲା ଦେଇ ଅଭିମାନୀ ଲକ୍ଷ୍ମୀ ଠାକୁରାଣୀଙ୍କ ମାନ ଭଞ୍ଜନ କରିଥାନ୍ତି। ଓଡ଼ିଶା ରସଗୋଲାକୁ ମାନ୍ୟତା ମିଳିବା ମହାପ୍ରଭୁଙ୍କର ଶ୍ରେୟ। ଶ୍ରୀଜଗନ୍ନାଥ ସେନା ଚେନ୍ନାଇରେ ଆବେଦନ କରିବା ପରେ ଓଡ଼ିଶାର ଗବେଷକ, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ଉପରେ ଚାପ ବଢିଥିଲା। ଏହାପରେ ସରକାର ଏ ଦିଗରେ ଆଗେଇ ଯାଇଥିଲେ, ଯାହା ଆଜି ସଫଳ ହୋଇଛି। ଦୀର୍ଘଦିନ ଧରି ରସଗୋଲା କାହାର ବୋଲି ଯେଉଁ ବିବାଦ ଲାଗି ରହିଥିଲା ତାହାର ପୂର୍ଣ୍ଣଚ୍ଛେଦ ପଡ଼ିିଛି। ଏଥିରେ ଓଡ଼ିଶାର ତଥା ଓଡ଼ିଆ ଜାତିର ବିଜୟ ହୋଇଛି। ସେହିପରି ନିମାପଡ଼ା ଛେନାଝିଲ୍ଲୀ, ଢେଙ୍କାନାଳ ବରା, ନୟାଗଡ଼ ଛେନାପୋଡ଼, ସମ୍ବଲପୁର କରଡ଼ି, କେନ୍ଦୁଝର ବଡ଼ି, ପୁରୀ ଖଜା ସମେତ ରାଜ୍ୟର ପୁରାତନ ଖାଦ୍ୟ ଓ ପିଠାପଣାର ତାଲିକା ପ୍ରସ୍ତୁତ କରି ଜିଆଇ ଟ୍ୟାଗ୍‌ ମାଗିବାକୁ ସରକାରଙ୍କୁ ଅନୁରୋଧ କରୁଛୁ ବୋଲି ପଟ୍ଟନାୟକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିବା ଖୁସିରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସିଂହଦ୍ୱାରରେ ମହାଦୀପ ଦାନ ସହ ରସଗୋଲା ଭୋଗ କରାଯାଇଥିଲା।