ଓଡ଼ିଶା ଫେରିବାକୁ ମଙ୍ଗଳସୂତ୍ର ବିକିଲେ: ବିକା ଟଙ୍କାରେ ସାଇକେଲ କିଣି ବେଙ୍ଗାଲୁରୁରୁ ଭଦ୍ରକ ଫେରିଲେ ଦମ୍ପତି

କଟକ ଅଫିସ,୩ା୬: ଜଣେ ସଧବା ନାରୀର ଅସ୍ମିତା ହେଉଛି ତା’ର ମଙ୍ଗଳସୂତ୍ର। କିନ୍ତୁ ଲକ୍‌ଡାଉନ୍‌ ଜନିତ ବେରୋଜଗାରି ଶ୍ରମିକମାନଙ୍କ ଦାରିଦ୍ର୍ୟ ଓ ଅଭାବକୁ ତେଜି ସେମାନଙ୍କୁ ଏଭଳି ସ୍ଥିତିରେ ଆଣି ଛିଡ଼ା କରେଇଛି ଯେ, ଓଡ଼ିଶା ଫେରିବା ପାଇଁ ଜଣେ ପ୍ରବାସୀ ମହିଳା ନିଜ ମଙ୍ଗଳସୂତ୍ର ବିକିବାକୁ ବାଧ୍ୟ ହୋଇଛନ୍ତି। ସେହି ଟଙ୍କାରେ ସାଇକେଲ କିଣି ସ୍ବାମୀଙ୍କ ସହ ଓଡ଼ିଶା ଫେରିଛନ୍ତି।
ଘଟଣା ଅନୁଯାୟୀ, ଟାଙ୍ଗୀରେ କେତେକ ସାମାଜିକ କର୍ମୀ ରାସ୍ତା ଉପରେ ଅସହାୟ ବ୍ୟକ୍ତିଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟୁଥିଲେ। ଏହି ସମୟରେ ଦୁଇଟି ସାଇକେଲରେ ଆସି ପହଞ୍ଚତ୍ଥିଲେ ୩ ଜଣ। ଗୋଟିଏ ସାଇକେଲରେ ଥିଲେ ଚନ୍ଦନ ଜେନା ଓ ତାଙ୍କ ସ୍ତ୍ରୀ। ଅନ୍ୟ ଏକ ସାଇକେଲରେ ଚନ୍ଦନଙ୍କ ବନ୍ଧୁ ତପନ ଜେନା। ଏମାନେ ଭଦ୍ରକ ବାସୁଦେବପୁରର ବାସିନ୍ଦା। ସୁଦୂର ବେଙ୍ଗାଲୁରୁରୁ ଏମାନେ ସାଇକେଲରେ ଓଡ଼ିଶା ଫେରିଥିଲେ। ସାଇକେଲରେ ବନ୍ଧାହୋଇଥିଲା ସେମାନଙ୍କ ପୋଷାକ ଓ କିଛି ଜରୁରୀ ସାମଗ୍ରୀ। ୧୫୦୦ରୁ ଅଧିକ କିଲୋମିଟର ଅତିକ୍ରମ କରିବାକୁ ସେମାନଙ୍କୁ ୫ଦିନ ଲାଗି ସାରିଥିଲା। ଟାଙ୍ଗୀରେ ଅଟକିବା ପରେ ସେମାନେ ଭୋକରେ ଥିବା ଜଳଜଳ ଦେଖାଯାଉଥିଲା ବୋଲି ଜଣେ ସାମାଜିକ କର୍ମୀ କହିଥିଲେ। ଚନ୍ଦନ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଦରମା ଯେତିକି ମିଳେ, ସେଥିରେ ଦୁଇ ପ୍ରାଣୀ ଘରଭଡ଼ା ନେଇ ରହିବା ସହ ଖାଦ୍ୟପେୟକୁ ନିଅଣ୍ଟ ପଡ଼େ। ଲକ୍‌ଡାଉନ୍‌ ଘୋଷଣା ପରେ କମ୍ପାନୀ କାମ ବନ୍ଦ କରି ଚୁପ୍‌ ବସିଯାଇଥିଲା। ମଜୁରି ନ ପାଇ ଦିନ ଗଡ଼ିବା ସହ ସେମାନଙ୍କ ଆର୍ଥତ୍କ ସ୍ଥିତି ଅତି ଖରାପ ହେବାରେ ଲାଗିଥିଲା। ତାଙ୍କ ଘର ପାଖରେ ରୁହନ୍ତି ବନ୍ଧୁ ତପନ। ତାଙ୍କ ଅବସ୍ଥା ମଧ୍ୟ ସମାନ। ଓଡ଼ିଶା ଫେରିବେ ବୋଲି ଚିନ୍ତା କରିବା ବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା। ପାଖରେ ଥିବା ଟଙ୍କା ଶେଷ ହେବା ସହ ଏହି ଓଡ଼ିଆ ଦମ୍ପତିଙ୍କୁ ଅର୍ଥାଭାବ ଗ୍ରାସ କରିସାରିଥିଲା। ଘରକୁ ଫେରିବାର ଅନ୍ୟ କୌଣସି ବାଟ ନ ପାଇ ସେମାନେ ମଙ୍ଗଳସୂତ୍ରକୁ ବିକିଦେଇଥିଲେ। ସେଥିରୁ ୧୫ ହଜାର ଟଙ୍କା ମିଳିବା ପରେ ଦୁଇଟି ସାଇକେଲ କିଣି ସେମାନେ ଓଡ଼ିଶା ଫେରିଥିଲେ। ଟାଙ୍ଗିରେ ପହଞ୍ଚତ୍ବା ପରେ ସାମାଜିକ କର୍ମୀମାନେ ସେମାନଙ୍କୁ ଭଦ୍ରକ ପର୍ଯ୍ୟନ୍ତ ଯିବା ପାଇଁ ସବୁ ବ୍ୟବସ୍ଥା କରିଦେଇଥିଲେ। ଚନ୍ଦନଙ୍କ ସ୍ତ୍ରୀ ନିଜ ସ୍ବାମୀଙ୍କ ଏଭଳି ଆର୍ଥିକ ଦୁଃସ୍ଥିତିରେ ଯେଉଁ ତ୍ୟାଗ ଦେଖାଇଲେ, ସେଥିରେ ସେମାନେ ଏତେବାଟ ସାଇକେଲରେ ଫେରିଆସିବାକୁ ଶକ୍ତି ପାଇଗଲେ ବୋଲି କହିଛନ୍ତି।