ଓଡ଼ିଶା ପୋଲିସକୁ ବଡ଼ ସଫଳତା: ଅପରେଶନ ‘ସ୍ବାଭିମାନ’ରେ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ

ଭୁବନେଶ୍ୱର,୭।୨(ବ୍ୟୁରୋ): ଓଡ଼ିଶା ପୋଲିସକୁ ବଡ଼ ସଫଳତା ମିଳିଛି। ଅପରେଶନ ସ୍ବାଭିମାନ ସଫଳ ହୋଇଛି। ଜାନୁୟାରୀ ୮ରୁ ଆରମ୍ଭ ହୋଇ ଜାନୁୟାରୀ ୨୦ ପର୍ଯ୍ୟନ୍ତ ଚାଲିଥିବା ଏହି ଅପରେଶନରେ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ରକୁ ପୋଲିସ ଜବତ କରିଛି। ସେଗୁଡ଼ିକ ମଧ୍ୟରେ ଇନଶାସ ୧ଟି ଲାଇଟ୍‌ ମେଶିନ ଗନ୍‌, ୩ଟି ଇନ୍‌ଶାସ ରାଇଫଲ, କାରବାଇନ ଷ୍ଟେନ୍‌ ଗନ୍‌ ୩ଟି, ୧ଟି ଏସ୍‌ଏଲ୍‌ଆର୍‌ ରାଇଫଲ, ୧ଟି ୩୦୩ ରାଇଫଲ, ୧ଟି ପିସ୍ତଲ, ୨୦୨ଟି ୫.୫୬ ଏମ୍‌ଏମ୍‌ ଗୁଳି, ୫୯ଟି ୭.୬୨ ଗୁଳି, ୪୨ଟି ୯ ଏମ୍‌ଏମ୍‌ ଗୁଳି, ୧ଟି ଟିଫିନ୍‌ ବୋମା ସହ ଅନ୍ୟାନ୍ୟ ସାମଗ୍ରୀ ଓ ଦସ୍ତାବିଜ ରହିଛି। ତେବେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଡିଜି ଅଭୟ ସୂଚନା ଦେଇଛନ୍ତି।

ଡିଜି କହିଛନ୍ତି, କିଛିଦିନ ତଳେ ଜଣେ ମାଓବାଦୀଙ୍କୁ ସ୍ବାଭିମାନ ଅଞ୍ଚଳରେ ସ୍ଥାନୀୟ ଲୋକେ ପିଟିପିଟି ହତ୍ୟା କରିଥିଲେ। ଏହାକୁ ନେଇ ମାଓବାଦୀମାନେ ତାତି ଯାଇ ସ୍ବାଭିମାନ ଅଞ୍ଚଳରେ ଲୋକଙ୍କ ଘର ପୋଡ଼ି ଦେଇଥିଲେ। ଏହାପରେ ପୋଲିସ ପକ୍ଷରୁ ଉକ୍ତ ଅଞ୍ଚଳବାସୀଙ୍କୁ ଆଶ୍ୱାସନା ଦିଆଯିବା ସହ ଅପରେଶନ ଜୋରଦାର କରାଯାଇଥିଲା। ହେନ୍ତାଳଗଡ଼ ଏବଂ ଯୋଡ଼ାଆମ୍ବ ଅଞ୍ଚଳକୁ ରାସ୍ତା ଦ୍ୱାରା ଯୋଗାଯୋଗ କରାଯାଇଥିଲା। ପରେ ପୋଲିସ ଉପରେ ଅଞ୍ଚଳବାସୀଙ୍କ ଭରସା ପାଇଥିଲା। ଜାନୁୟାରୀ ୧୫ ଓ ୨୦ତାରିଖରେ ମାଓବାଦୀଙ୍କ ସହ ପୋଲିସର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ କେହି ମାଓବାଦୀ ମୃତାହତ ହୋଇ ନ ଥିଲେ। ହେଲେ ସେବେଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସିଆର୍‌ଏଫ୍‌, ବିଏସ୍‌ଏଫ୍‌, ଓଡ୍ରାଫ୍‌ ଟିମ୍‌, ଓଡ଼ିଶା ଓ ଆନ୍ଧ୍ର ପୋଲିସର ୩୨ଟି ଟିମ୍‌ ସାମିଲ ହୋଇ ଜିଲାର ସ୍ବାଭିମାନ ଅଞ୍ଚଳ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ଖାନତଲାସି କରି ଅସ୍ତ୍ରଶସ୍ତ୍ର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ଡିଜି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଆଗାମୀ ଦିନରେ ଯୋଡ଼ାଆମ୍ବରେ ନୂଆ ପୋଲିସ ଥାନା କରାଯିବା ନେଇ ଯୋଜନା ରହିଛି। ସେଠାରେ ଯବାନମାନଙ୍କ ଏକ ବେସ୍‌ କ୍ୟାମ୍ପ ମଧ୍ୟ ରହିବ। ଏଥିଲାଗି ୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ପୂର୍ବରୁ ସ୍ବାଭିମାନ ଅଞ୍ଚଳରେ ଗୋଟିଏ ଥାନା ରହିଛି। ଏବେ ଆଉ ଏକ ନୂଆ ଥାନା ହେବା ଦ୍ୱାରା ମାଓବାଦୀଙ୍କ ପ୍ରାଦୁର୍ଭାବ ହ୍ରାସ ପାଇବ ବୋଲି ଡିଜି କହିଛନ୍ତି।