ଓଡ଼ିଶା ଟ୍ରାଭେଲ ବଜାର: ୫୩ ଷ୍ଟଲ୍‌ରେ ଓଡ଼ିଶା ପର୍ଯ୍ୟଟନ ଉତ୍ପାଦ

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହଯୋଗରେ ଭୁବନେଶ୍ୱରରେ ୩ୟ ଥର ପାଇଁ ଚାଲିଥିବା ଓଡ଼ିଶା ଟ୍ରାଭେଲ ବଜାର ଆନୁକୂଲ୍ୟରେ ୫୩ଟି ଷ୍ଟଲ ଖୋଲା ଯାଇଛି। ଶୁକ୍ରବାର ଏହି ଷ୍ଟଲ୍‌ଗୁଡ଼ିକୁ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରିଛନ୍ତି। ହୋଟେଲ୍‌ ସ୍ବସ୍ତି ପ୍ର୍ରିମିୟମ୍‌ଠାରେ ଆୟୋଜିତ ଏହି ଷ୍ଟଲ୍‌ଗୁଡ଼ିକୁ ମନ୍ତ୍ରୀ ପାଣିଗ୍ରାହୀ ବୁଲି ଦେଖିବା ସହ ଓଡ଼ିଶାର ପର୍ଯ୍ୟଟନ ସାମଗ୍ରୀ ବିପଣନରେ ନିୟୋଜିତ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥାଗୁଡ଼ିକର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ସେ ଓଡ଼ିଶା ପର୍ଯ୍ୟଟନର ବ୍ୟାପକ ଅଭିବୃଦ୍ଧି ଦିଗରେ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଭାରତର ବିଭିନ୍ନ ରାଜ୍ୟରୁ ୬୦ଜଣ ଆଗଧାଡ଼ିର ଟୁର ଅପରେଟରଙ୍କ ସହ ୨୫ ବିଦେଶୀ ଟୁର୍‌ ଅପରେଟର ଓଡ଼ିଶା ଟ୍ରାଭେଲ୍‌ ବଜାରର ତୃତୀୟ ସଂସ୍କରଣରେ ଯୋଗଦେଇଛନ୍ତି। ଓଡ଼ିଶାର ପର୍ଯ୍ୟଟନ ସାମଗ୍ରୀକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବା ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ଷ୍ଟଲ୍‌ ଖୋଲାଯାଇଛି। ରାଜ୍ୟର ଟ୍ରାଭେଲ୍‌ ଏଜେନ୍ସି, ଟୁର୍‌ ଅପରେଟର, ହୋଟେଲିୟର ଏବଂ ହସ୍‌ପିଟାଲିଟି ସଂସ୍ଥା ମଧ୍ୟ ସେମାନଙ୍କ ଉତ୍ପାଦକୁ ପ୍ରଦର୍ଶନ କରୁଛନ୍ତି। ଶୁକ୍ରବାରଠାରୁ ଦୁଇଦିନ ଧରି ଦେଶର ଟୁର ଅପରେଟରମାନଙ୍କ ସହିତ ବ୍ୟବସାୟିକ ଓ ବୈଷୟିକ ଆଲୋଚନା ତଥା ‘ବି-ଟୁ-ବି’ (ବିଜ୍‌ନେସ୍‌ ଟୁ ବିଜ୍‌ନେସ୍‌) ବୈଠକ ଆରମ୍ଭ ହୋଇଛି। ୨୦ ତାରିଖରେ ବିଦେଶର ଟୁର୍‌ ଅପରେଟରମାନେ ଟ୍ରାଭେଲ୍‌ ବଜାରରେ ଯୋଗଦେବେ। ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ବିଭବ ପରିଦର୍ଶନ କରିବା ଲାଗି ବିଦେଶୀ ଟୁର ଅପରେଟରମାନଙ୍କୁ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଫ୍ୟାମ୍‌ ଟ୍ରିପ୍‌ରେ ନିଆଯାଇଛି। ଶୁକ୍ରବାର ଅନୁଷ୍ଠିତ ବ୍ୟବସାୟିକ ଓ ବୈଷୟିକ ଆଲୋଚନାରେ ମନ୍ତ୍ରୀ ପାଣିଗ୍ରାହୀଙ୍କ ସମେତ ହୋଟେଲ୍‌ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ୍‌ ଅଫ୍‌ ଓଡ଼ିଶାର ଅଧ୍ୟକ୍ଷ ଜେ.କେ. ମହାନ୍ତି, ଭାରତୀୟ ବାଣିଜ୍ୟ ମହାସଂଘ (ଫିକି)ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।