ଓଡ଼ିଶାର ୩୬.୨୮ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): ଦେଶବ୍ୟାପୀ ଜାରି ରହିଥିବା ଲକ୍‌ଡାଉନରୁ କୃଷି ଓ ଏହାର ଆନୁଷଙ୍ଗିକ କାର୍ଯ୍ୟକୁ କେନ୍ଦ୍ର ସରକାର ବାଦ୍‌ ଦେଇଛନ୍ତି। ଏହାସହ ଦେଶର ଗରିବ କୃଷକମାନଙ୍କୁ କୃଷି କାର୍ଯ୍ୟରେ ସହାୟତା ସ୍ବରୂପ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନା ଜରିଆରେ ୨ ହଜାର ଟଙ୍କାର ଗୋଟିଏ ଲେଖାଏ କିସ୍ତି ତୁରନ୍ତ ଯୋଗାଇ ଦେଇଛନ୍ତି। ଏହାଦ୍ୱାରା ଏପ୍ରିଲ ୨୨ ସୁଦ୍ଧା ପିଏମ୍‌-କିଷାନ ଯୋଜନାରେ ସାମିଲ ହୋଇଥିବା ଦେଶର ୮ କୋଟିରୁ ଊର୍ଦ୍ଧ୍ୱ କୃଷକ ଉପକୃତ ହୋଇପାରିଛନ୍ତି। ଏ ବାବଦରେ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ୧୬,୧୪୬ କୋଟି ଟଙ୍କା ବ୍ୟୟ କରିଛନ୍ତି। ଇତିମଧ୍ୟରେ ଓଡ଼ିଶାର ୩୬.୨୮ ଲକ୍ଷ କୃଷକ ମଧ୍ୟ ପିଏମ୍‌-କିଷାନ ଯୋଜନାରେ ୨ ହଜାର ଟଙ୍କା ଲେଖାଏ ସହାୟତା ପାଇଛନ୍ତି। ଏଥିପାଇଁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନବରଙ୍ଗପୁର ଜିଲା ତାରାଗଁ। ପଞ୍ଚାୟତର ଚାଷୀ କ୍ଷେତ୍ରପାଳ ବିଶି ଏହି ଯୋଜନାରେ ୨ ହଜାର ଟଙ୍କାର ସହାୟତା ପାଇଛନ୍ତି। ତାଙ୍କର ଅଢ଼େଇ ଏକର ଜମି ରହିଛି। ଲକ୍‌ଡାଉନ ସମୟରେ ସେ ଏହି ସହାୟତା ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ସେହିପରି ମାଲକାନଗିରି ଜିଲା ଗୌଡ଼ଗୁଡ଼ା ପଞ୍ଚାୟତର ଲକ୍ଷ୍ମୀକାନ୍ତଙ୍କୁ ମଧ୍ୟ ଗୋଟିଏ କିସ୍ତି ବାବଦକୁ ୨ ହଜାର ଟଙ୍କା ମିଳିଛି। ଲକ୍‌ଡାଉନ କାରଣରୁ ତାଙ୍କୁ ପାଖାପାଖି ଗୋଟିଏ ମାସ ହେବ କିଛି କାମ ମିଳୁ ନ ଥିଲା। ଏବେ ସେ ଅର୍ଥ ପାଇଥିବାରୁ ପରିବାର ଚଳାଇବା ସହ ଚାଷ କାମ ଆରମ୍ଭ କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ, ଲକ୍‌ଡାଉନ ବେଳେ ସମ୍ଭାବ୍ୟ ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା ନିମନ୍ତେ ଗତ ମାର୍ଚ୍ଚ ୨୬ରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧.୭୦ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଥିଲେ। ଏହି ଯୋଜନା ଅଧୀନରେ ପିଏମ୍‌ କିଷାନ ହିତାଧିକାରୀ କୃଷକମାନଙ୍କୁ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ କିସ୍ତି ସ୍ବରୂପ ୨ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଛି।