ଓଡ଼ିଶାର ମହିମାଧର୍ମ

ଡ. ଉଦ୍ଧବ ଚରଣ ନାୟକ
ଊନବିଂଶ ଶତକର ପ୍ରଥମ ଭାଗ। ଏହି ସମୟରେ ଭାରତୀୟ ହିନ୍ଦୁ ସମାଜ ଜାତିଭେଦ, ମୂର୍ତ୍ତିପୂଜା, ଅନ୍ଧବିଶ୍ୱାସ, କୁସଂସ୍କାର ଆଦି ବ୍ରାହ୍ମଣ୍ୟ ଧର୍ମର ପ୍ରଭାବରେ ଉବୁଟୁବୁ ହେଉଥିଲା। ସମାଜର ନୀଚ ଶ୍ରେଣୀର ଲୋକେ ଲାଞ୍ଛିତ, ଅପମାନିତ, ନିଷ୍ପେଷିତ ଭାବରେ କାଳାତିପାତ କରୁଥିଲେ। ଏହି ସମୟରେ ଉତ୍କଳରେ ମହିମା ଗୋସେଇଁଙ୍କର ଆବିର୍ଭାବ ଘଟିଲା। ସେ ଏହି ଲାଞ୍ଛିତମାନଙ୍କୁ ଉଦ୍ଧାର କରିବା ନିମନ୍ତେ ନୂତନ ବାର୍ତ୍ତା ପ୍ରଦାନ କଲେ। ସେ ଦୃଢ଼କଣ୍ଠରେ ଘୋଷଣା କଲେ, ‘ପ୍ରତ୍ୟେକ ମଣିଷ ସମାନ। ପରଂବ୍ରହ୍ମ ସମାନଭାବରେ ସକଳ ଘଟରେ ବିଦ୍ୟମାନ। ସମସ୍ତଙ୍କର ବିଶ୍ୱସ୍ରଷ୍ଟା ପରଂବ୍ରହ୍ମଙ୍କୁ ଉପାସନା କରିବାର ସମାନ ଅଧିକାର ଅଛି। ପରଂବ୍ରହ୍ମ ମଠମନ୍ଦିର, ଦେଉଳ-ଅଟ୍ଟାଳିକା ଆଦିରେ ବ୍ରାହ୍ମଣମାନଙ୍କ ନିୟନ୍ତ୍ରଣରେ ନାହାନ୍ତି।
ମହିମା ଗୋସେଇଁ ସର୍ବପ୍ରଥମେ ୧୮୨୬ ମସିହାରେ ପୁରୀର ବଡ଼ଦାଣ୍ଡରେ ‘ଧୂଳିଆ ଗୋସେଇଁ’ ଭାବରେ ଆବିର୍ଭୂତ ହୋଇଥିଲେ। ଏହାପରେ ସେ ଖଣ୍ଡଗିରି ଚାଲିଆସି ସେଠାରେ ୧୮୩୮ ମସିହା ଯାଏ ବାରବର୍ଷ କାଳ ଜଳ ଆହାର କରି ଯୋଗ ସାଧନାରେ ବିତାଇଥିଲେ। ଏହି ସମୟରେ ତାଙ୍କୁ ‘ନିରାହାରୀ ଗୋସେଇଁ’ ବୋଲି କୁହାଯାଉଥିଲା। ଖଣ୍ଡଗିରିଠାରୁ ସେ ଢେଙ୍କାନାଳର କପିଳାସ ଗିରିକୁ ଚାଲିଯାଇ ଚବିଶ ବର୍ଷ ଆତ୍ମଯୋଗ ସମାଧିରେ ଅବସ୍ଥାନ କରିଥିଲେ। ଏଠାରେ ପ୍ରଥମ ବାରବର୍ଷ ଫଳ ଆହାର କରି, ‘ଫଳାହାରୀ ଗୋସେଇଁ’ ଓ ଦ୍ୱିତୀୟ ବାରବର୍ଷ କ୍ଷୀର ଆହାର କରି ‘କ୍ଷୀରାହାରୀ ଗୋସେଇଁ’ ଭାବରେ ପରିଚିତ ଥିଲେ। କପିଳାସ ତ୍ୟାଗକରି ୧୮୬୨ ମସିହାରେ ପ୍ରଥମେ ସେ ଖୋର୍ଦ୍ଧା ଜିଲାର ଦାରୁଠେଙ୍ଗଠାରେ ଆଶ୍ରମ ସ୍ଥାପନ କରି ସ୍ବଧର୍ମ ପ୍ରଚାରରେ ବ୍ରତୀ ହେଲେ। ଏହାପରେ ପଟିଆ, ଡମଣା ଓ ଅନ୍ଧାରୁଆଠାରେ ଆଶ୍ରମ ପ୍ରତିଷ୍ଠା କଲେ। ଏହି ଆଶ୍ରମ ବା ଟୁଙ୍ଗିଗୁଡ଼ିକ ଥିଲା ଗୋଟିଏ ଗୋଟିଏ ଶିକ୍ଷାକେନ୍ଦ୍ର। ଧର୍ମପ୍ରଚାର ନିମନ୍ତେ ଦାରୁଠେଙ୍ଗଠାରେ ସେ ସନ୍ନ୍ୟାସୀ ଶ୍ରେଣୀ ସୃଷ୍ଟି କଲେ। ତାଙ୍କ ଆଜ୍ଞାରେ ତାଙ୍କର ପ୍ରଥମ ଶିଷ୍ୟ ଗୋବିନ୍ଦ ଦାସ ବାବା ସର୍ବପ୍ରଥମେ ଦାରୁଠେଙ୍ଗଠାରେ ୭ ଜଣଙ୍କୁ ବଳ୍କଳ ଦେଇ ସନ୍ନ୍ୟାସୀ ଧର୍ମର ଦୀକ୍ଷା ପ୍ରଦାନ କଲେ। ସେମାନେ ହେଲେ ବୌଦ୍ଧର ନରସିଂହ ଦାସ, କଟକ ଜିଲା ସାଇଲୋ ଗ୍ରାମର ଭଗବାନ ଦାସ, ଅନ୍ଧାରୁଆର କୃଷ୍ଣ ଦାସ ଓ ଭାଇଗ ଦାସ ଏବଂ ଦାରୁଠେଙ୍ଗର ମାଧବ ଦାସ, କୃପାସିନ୍ଧୁ ଦାସ ଓ ଅଚ୍ୟୁତାନନ୍ଦ ଦାସ। ମହିମା ଗୋସେଇଁ ତାଙ୍କର ପ୍ରକୃତ ନାମ ନ ଥିଲା କି ତାଙ୍କ ପ୍ରଚାରିତ ଧର୍ମ ସେତେବେଳେ ଯାଏ ମହିମା ଧର୍ମ ନ ଥିଲା। ଏହି ସାତଜଣ ସନ୍ନ୍ୟାସୀଙ୍କ ସମେତ ଗୋବିନ୍ଦ ବାବାଙ୍କ ବିଚାରକ୍ରମେ ଧର୍ମର ନାମ ରଖାଗଲା ‘ମହିମା ଧର୍ମ’। କାରଣ ନୂତନ ମତବାଦ ଅନୁଯାୟୀ ପରଂବ୍ରହ୍ମ ବିଶ୍ୱନିୟନ୍ତା ହେଉଛନ୍ତି ଶୂନ୍ୟ ବା ଅଲେଖ ପୁରୁଷ। ସେ ସର୍ବବ୍ୟାପୀ, ତାଙ୍କ ମହିମାରେ ସଚରାଚର ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି। ସେହି ବିଶ୍ୱସ୍ରଷ୍ଟାଙ୍କ ‘ମହିମା’ରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେଉଥିବାରୁ ଧର୍ମର ନାମ ରଖାଗଲା ମହିମା ଧର୍ମ। ମହିମା ଧର୍ମ ପ୍ରଚାର କାର୍ଯ୍ୟ ସେମାନଙ୍କ ଗୁରୁଙ୍କ ଦ୍ୱାରା ଆରମ୍ଭ ହୋଇଥିବାରୁ ଧର୍ମର ପ୍ରତିଷ୍ଠାତା ବା ଗୁରୁଙ୍କୁ ସେମାନେ ମହିମା ଗୋସେଇଁ ଭାବରେ ଆଖ୍ୟାୟିତ କଲେ। ମହିମା ଗୋସେଇଁ ଏହି ୮ଜଣ ଶିଷ୍ୟଙ୍କୁ ଧରି ଧର୍ମପ୍ରଚାରରେ ଲାଗିଲେ।
୧୮୬୪ ମସିହା କଥା। ମଧୁବାବୁ (ଉତ୍କଳ ଗୌରବ) ସେହିବର୍ଷ ଏଣ୍ଟ୍ରାନ୍ସ ପରୀକ୍ଷା ଦେଇଥାନ୍ତି। ତରୁଣ ବୟସ। ବୟସ ୧୬-୧୭ ବର୍ଷ ସରିକି। ବାପା ରଘୁନାଥ ଦାସ ସେକାଳର ଜଣେ ଖ୍ୟାତନାମା ଓକିଲ। ପଟିଆ ରାଜା ରଘୁନାଥ ଦେବଙ୍କର ସେ ଥାଆନ୍ତି ଆଇନ ପରାମର୍ଶଦାତା। ପଟିଆରେ ଅନୁଷ୍ଠିତ ଦୋଳ ମେଳଣ ଦେଖିବା ପାଇଁ ରାଜା ଓକିଲ ସାହେବଙ୍କୁ ନିମନ୍ତ୍ରଣ କଲେ। ଓକିଲଙ୍କ ସହିତ ଆସିଲେ ତାଙ୍କ ପୁତ୍ର ମଧୁସୂଦନ। ଦୋଳପୂର୍ଣ୍ଣମୀ ସନ୍ଧ୍ୟାରେ ମହିମା ଗୋସେଇଁଙ୍କୁ ଭେଟିଲେ ମଧୁବାବୁ ପଟିଆର ଏକ ଧର୍ମ ସଭାରେ। ଶହ ଶହ ଲୋକଙ୍କ ଗହଣରେ ମହିମା ଗୋସେଇଁ ଆସି ଏହି ଧର୍ମ ସଭାରେ ସ୍ବପ୍ରବର୍ତ୍ତିତ ଏକେଶ୍ୱର ବାଦ ମହିମା ଧର୍ମ ସମ୍ପର୍କରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କଲେ। ତରୁଣ ମଧୁବାବୁ ମନୋଯୋଗ ସହକାରେ ତାଙ୍କ ଭାଷଣ ଶୁଣିଲେ। ତାଙ୍କ ଧର୍ମ ସଂସ୍କାରର ବାଣୀ, ଧାର୍ମିକ ଚିନ୍ତା-ଚେତନା, ଆଦର୍ଶ ଇତ୍ୟାଦି ଉପଲବ୍ଧ କରି ମୁଗ୍ଧ ହୋଇଗଲେ। ଏହା ତାଙ୍କ କିଶୋର ଜୀବନରେ ବେଶ୍‌ ପ୍ରଭାବ ପକାଇଲା। ପରବର୍ତ୍ତୀ କାଳରେ ଭାରତବର୍ଷର ବିଭିନ୍ନ ସ୍ଥାନରେ ବିଭିନ୍ନ ସଭାସମିତିରେ ସେ କହୁଥିଲେ- ”ମହିମା ଗୋସେଇଁ ଓଡ଼ିଶାରେ ଜନ୍ମ ନ ହୋଇ ପଞ୍ଜାବ, ଗୁଜରାଟ, ମହାରାଷ୍ଟ୍ର କି ବଙ୍ଗଳାରେ ଜନ୍ମ ହୋଇଥିଲେ ଆର୍ଯ୍ୟ ସମାଜର ଦୟାନନ୍ଦ ସରସ୍ବତୀ, ବ୍ରାହ୍ମ ସମାଜର ରାଜା ରାମମୋହନ ରାୟଙ୍କ ପରି ବିଶେଷ ଖ୍ୟାତି ଓ ସମ୍ମାନ ଲାଭ କରିଥାଆନ୍ତେ।“ କଲିକତା ଓ ପାଟନା ଆଦି ସ୍ଥାନରେ ବିଜ୍ଞମଣ୍ଡଳୀ ସମାବେଶରେ ମଧୁବାବୁ ଦୃଢ଼ କଣ୍ଠରେ କହୁଥିଲେ, ”ମହିମା ଧର୍ମ ଓଡ଼ିଶାର ଗର୍ବ ଓ ଗୌରବ। ଉଦାର ଜଗନ୍ନାଥ ଧର୍ମ ଓ ମହିମା ଧର୍ମ ଉତ୍କଳ ମାଟିରୁ ଜନ୍ମଲାଭ କରିଛି। ଏହି ଦୁଇଟି ଧର୍ମ ବିଶ୍ୱକୁ ଓଡ଼ିଶାର ଶ୍ରେଷ୍ଠ ଓ ମହତ୍‌ ଦାନ।“
ମହିମା ଗୋସେଇଁ ୧୮୬୬ ମସିହାରେ ପଟିଆ ତ୍ୟାଗକରି ବାଙ୍କୀର ମାଳବିହାରପୁରଠାରେ ଧୁନିଘର ପ୍ରତିଷ୍ଠା କରି ଶିଷ୍ୟ ନରସିଂହ ଦାସଙ୍କ ଦ୍ୱାରା ୮୩ ଜଣଙ୍କୁ ବଳ୍କଳ ଦେଇ ସନ୍ନ୍ୟାସୀ କଲେ। ୧୮୭୪ ମସିହାରେ ଢେଙ୍କାନାଳର ଜକ୍କାଠାରେ ବାଞ୍ଛାନିଧି ଦାସଙ୍କ ଦ୍ୱାରା ୬୪ ଜଣଙ୍କୁ କୌପୀନ ଦେଇ ସନ୍ନ୍ୟାସୀ କଲେ। ମହିମା ଗୋସେଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଟୁଙ୍ଗି ଓ ଧୁନିଘର ସ୍ଥାପନ କରି ସ୍ବପ୍ରତିଷ୍ଠିତ ମହିମା ଧର୍ମ ପ୍ରଚାର କରିବାରେ ଲାଗିଲେ। ଯୋରନ୍ଦା ମହିମାଶ୍ରମ ବା ଟୁଙ୍ଗି ଥିଲା ଅନ୍ୟତମ। ଏଠାରେ ୧୮୭୬ ମସିହା ଫାଲ୍‌ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ତାଙ୍କର ମହାପ୍ରୟାଣ ଘଟିଲା। ତାଙ୍କ ନଶ୍ୱର ଶରୀରକୁ ଏଠାରେ ଭୂସମାଧି କରାଯାଇଛି, ଯାହାକି ମହିମା ଗାଦି ମନ୍ଦିର ଭାବରେ ଖ୍ୟାତ। ଏହିଠାରେ ପ୍ରତ୍ୟେକ ବର୍ଷ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମହିମା ଗୋସେଇଁଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ବିରାଟ ମେଳା ଅନୁଷ୍ଠିତ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri