ଓଡ଼ିଶାରେ ଏନ୍‌ପିଆର୍‌ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୮।୧(ବ୍ୟୁରୋ):ସାରା ଦେଶରେ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର)କୁ ନେଇ ବିକ୍ଷୋଭ ଏବଂ ବିତର୍କ ଚାଲିଥିବା ବେଳେ ରାଜ୍ୟ ସରକାର ଓଡିଶାରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ଜଣେ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି। ପ୍ରାଥମିକଭାବେ ଏନ୍‌ପିଆର ପାଇଁ ପାଇଲଟ ସର୍ଭେ ଆରମ୍ଭ ହୋଇଛି। ଘରକୁ ଘର ବୁଲି ଏହି ପ୍ରକ୍ରିୟାରେ ତଥ୍ୟ ସଂଗ୍ରହ କରାଯିବ। ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆଙ୍କ ନିର୍ଦ୍ଦେଶନାମା ଅନୁୟାୟୀ ଏହି କାର୍ଯ୍ୟର ପ୍ରକ୍ରିୟା ଆରମ୍ଭ ହୋଇଛି। ଏପ୍ରିଲ ଦ୍ୱିତୀୟ ସପ୍ତାହ ବେଳକୁ ଅଧିକାରୀମାନେ ଘରକୁ ଘର ବୁଲି ତାଲିକା ପ୍ରସ୍ତୁତ କରିବେ। କେତେକ ରାଜ୍ୟରେ ଏନ୍‌ପିଆରକୁ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)ର ପ୍ରଥମ ସୋପାନ ବୋଲି ଅଭିହିତ କରିଛନ୍ତି। ହେଲେ ଏନପିଆର୍‌ ସହ ଏଆର୍‌ସିର କୌଣସି ସମ୍ପର୍କ ନ ଥିବା ରାଜ୍ୟ ସରକାର ମତ ରଖିସାରିଛନ୍ତି। ସେହିଭଳି ଏହି ପ୍ରକ୍ରିୟାକୁ ପୂର୍ଣ୍ଣାଙ୍ଗ ରୂପ ଦେବା ଲାଗି ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।