ଓଡ଼ିଆ ଭାଷା ପାଇଁ ବୌଦ୍ଧିକ ଆନ୍ଦୋଳନ ଆବଶ୍ୟକ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ସମସ୍ତ ଆନ୍ଦୋଳନ ବୌଦ୍ଧିକ ସ୍ତରରୁ ଆରମ୍ଭ ହୋଇଥାଏ। ଓଡ଼ିଆ ଭାଷା ପାଇଁ ବୌଦ୍ଧିକ ଆନ୍ଦୋଳନର ଆବଶ୍ୟକତା ଅଛି। ଏଥିପାଇଁ ଉଦ୍‌ବେଳନ, ଆତ୍ମିୟତା ଓ ସଦିଚ୍ଛା ରହିବା ଦରକାର। ରାଜ୍ୟ ସରକାର ଓଡ଼ିଆ ଭାଷା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି। ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଆୟୋଜିତ ‘ଶିକ୍ଷା ବ୍ୟବସ୍ଥାରେ ମାତୃଭାଷା ଓଡ଼ିଆ’ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ମନ୍ତ୍ରୀ ସାହୁ କହିଛନ୍ତି। ଅନୁଷ୍ଠାନର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ସଭାପତିତ୍ୱରେ ପ୍ରଫେସର ବସନ୍ତ ପଣ୍ଡା ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଉପରେ କହିଥିଲେ। ଜାପାନ, କୋରିଆ, ଚାଇନା ଭଳି ଶିଳ୍ପବିପ୍ଳବ ଅପ୍ରଭାବିତ ଦେଶ ନିଜ ଭାଷା ଦ୍ୱାରା ବିକାଶ ପାଇଥିବାରୁ ଓଡ଼ିଶା ପାଇଁ ଏହିସବୁ ଦେଶ ପଥ ପ୍ରଦର୍ଶକ ହୋଇପାରିବେ ବୋଲି ପ୍ରଫେସର ଓଙ୍କାରନାଥ ମହାନ୍ତି କହିଥିଲେ। ପରେ ବିଶିଷ୍ଟ ଶିକ୍ଷାବିତ୍‌ ଡ. ନଟବର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୈକ୍ଷିକ ଅଧିବେଶନରେ ‘ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାରେ ଓଡ଼ିଆ ଭାଷାର ସ୍ଥିତି ଓ ସମ୍ଭାବନା’ ଉପରେ ଡ. ସିପ୍ରା ମଲ୍ଲିକ, ପ୍ର. ମୋହିତ ମୋହନ ମହାନ୍ତି ଓ ଉଚ୍ଚଶିକ୍ଷା ଏବଂ ବୈଷୟିକ ଶିକ୍ଷାରେ ଓଡ଼ିଆ ଭାଷାର ସ୍ଥିତି ବିଷୟରେ ଡ. ନରେନ୍ଦ୍ର ପ୍ରସାଦ ଦାସ, ଡ. ରାମଚନ୍ଦ୍ର ଖୁଣ୍ଟିଆ, ଡା. ଦେବାଶିଷ ଜେଠୀ, ପ୍ରଫେସର ନିରଞ୍ଜନ ବାରିକ ମତବ୍ୟକ୍ତ କରିଥିଲେ। ଡ. ସୁବ୍ରତ ପୃଷ୍ଟି, ଡ. ରମେଶ ଚନ୍ଦ୍ର ମଲ୍ଲିକ ଓଡ଼ିଆ ଭାଷା ଉପରେ ଉପସ୍ଥାପନା କରିଥିଲେ। ଏଥିରେ ବିଶିଷ୍ଟ ଶିକ୍ଷାବିତ, ବୁଦ୍ଧିଜୀବୀ, ରାଜନେତା, ଖବରଦାତା, ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ ଷଷ୍ଠ ଜାତୀୟ ଭାଷା ସମ୍ମିଳନୀ ପୁସ୍ତିକା, ଅନୁଷ୍ଠାନର ଷାଣ୍ମାସିକ ଗବେଷଣା ଜର୍ନାଲ ‘ଭାଷା’ ଓ ଲାଙ୍ଗୁଏଜ, ଲିଟରେଚର, କଲଚର ଓ ଇଣ୍ଟିଗ୍ରିଟି ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ନୀରଦ ବରଣ ଖଣ୍ଟିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ପ୍ରଫେସର ବ୍ରଜେନ୍ଦ୍ର ପ୍ରସାଦ ଦାସ ଧନ୍ୟବାଦ ଦେଇଥିଲେ।