ଓଡ଼ିଆ ଭାଷା ଓ ସଂସ୍କୃତି ସୁରକ୍ଷାକୁ ନେଇ ବିଧାନସଭାରେ କଂଗ୍ରେସର ହଟ୍ଟଗୋଳ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଓଡ଼ିଆ ଭାଷା ଓ ସଂସ୍କୃତିକୁ ନେଇ ବିଧାନସଭାରେ କଂଗ୍ରେସ ଦଳର ସଭ୍ୟମାନେ ମଙ୍ଗଳବାର ହଙ୍ଗାମା କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଭାଷା ଓ ସଂସ୍କୃତି ପାଇଁ ରାଜ୍ୟ ସରକାରଙ୍କର ତିଳେ ମାତ୍ର ଦରଦ ନାହିଁ। ଓଡ଼ିଆ ଭାଷାର ଉନ୍ନତି ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ଗୃହକୁ ଜଣାନ୍ତୁ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଲେ ଯେ, ରାଜ୍ୟ ସରକାର ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ କେତେ ଅର୍ଥ ବ୍ୟୟ ବରାଦ କରିଛନ୍ତି। କେନ୍ଦ୍ର ସରକାର ଏଥିପାଇଁ କେତେ ଟଙ୍କା ଦେଇଛନ୍ତି। ଭାଷାର ଉନ୍ନତି ପାଇଁ କେନ୍ଦ୍ର ସରକାର ୯୦ ଭାଗ ଓ ରାଜ୍ୟ ସରକାର ୧୦ ଭାଗ ଅର୍ଥ ଖର୍ଚ୍ଚ କରିବା କଥା । କେନ୍ଦ୍ର ସରକାରଙ୍କ ଉପରେ ଏ ନେଇ ରାଜ୍ୟ ସରକାର ଚାପ ସୃଷ୍ଟି କରିଛନ୍ତି କି? ଏ ନେଇ ମନ୍ତ୍ରୀ ଗୃହରେ ବିବୃତି ଦିଅନ୍ତୁ। ବାଚସ୍ପତି ଏ ନେଇ ରୁଲିଂ ଦେବାକୁ ତାରା ଅଡି ବସିଲେ। ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କଲେ। କଂଗ୍ରେସର ଅନ୍ୟ ସଭ୍ୟମାନେ ମଧ୍ୟ ଓଡ଼ିଆ ଭାଷା ଓ ସଂସ୍କୃତି କ୍ଷେତ୍ରରେ ସରକାର କି ପଦକ୍ଷେପ ନେଇଛନ୍ତି ତୁରନ୍ତ ମନ୍ତ୍ରୀ ଗୃହରେ ଉତ୍ତର ଦେବାକୁ ସେମାନେ ଦାବି କରି ହୋ-ହଲ୍ଲା କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ରାଜ୍ୟ ସରକାର ରାଜ୍ୟ ସଭା ସିଟ୍‌ ମାଗଣାରେ ଦେଇଦେଉଛନ୍ତି। କେନ୍ଦ୍ରରୁ ୩ଶହ କୋଟି ଟଙ୍କା ଭାଷାର ସୁରକ୍ଷା ପାଇଁ ମିଳିବା କଥା। ଏ ପର୍ଯ୍ୟନ୍ତ ଟଙ୍କାଟିଏ କାହିଁକି ମିଳିନି। କଂଗ୍ରେସ ସଭ୍ୟଙ୍କ ହୋ-ହଲ୍ଲାକୁ ଦେଖି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଗୃହରେ ବିବୃତିି ଦେବା ପାଇଁ ବାରସ୍ପତି ରୁଲିଂ ଦେବା ସହିତ ଗୃହକୁ ୧୫ ମିନିଟ୍‌ ପାଇଁ ମୁଲତବୀ ଘୋଷଣା କରିଥିଲେ।