ଓଡ଼ିଆ ପ୍ରତି କେନ୍ଦ୍ର ସାହିତ୍ୟ ଏକାଡେମିର ବୈମାତୃକ ମନୋଭାବ

ଭୁବନେଶ୍ୱର, ୨୭ା୨ (ବ୍ୟୁରୋ): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କେନ୍ଦ୍ର ସାହିତ୍ୟ ଏକାଡେମି ପକ୍ଷରୁ ଜାତୀୟ ସାହିତ୍ୟ ଉତ୍ସବ ଆୟୋଜିତ ହୋଇଛି। ନୂଆଦିଲ୍ଲୀଠାରେ ଗତ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ‘ଫେଷ୍ଟିଭାଲ ଅଫ୍‌ ଲେଟର୍ସ’ ଶୀର୍ଷକ ଉତ୍ସବର ନିମନ୍ତ୍ରଣ ପତ୍ର ଉପରେ ବିଭିନ୍ନ ଭାରତୀୟ ଭାଷାରେ ଲେଖାଯାଇଛି। ହେଲେ ଓଡ଼ିଆ ଭାଷା ବ୍ୟତୀତ ଅନ୍ୟସବୁ ଭାଷା ଏଥିରେ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି। ଭାରତରେ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଭାଷାଗୁଡ଼ିକ ମଧ୍ୟରୁ କେବଳ ଓଡ଼ିଆକୁ ଏଥିରେ ଅପମାନିତ କରାଯାଇଛି। ଓଡ଼ିଆ ଭାଷା ପ୍ରତି ବୈମାତୃକ ମନୋଭାବ ପୋଷଣ ଓ ଭାଷା ପ୍ରତି ବିଦ୍ୱେଷ କରାଯାଇଥିବା ଅଭିଯୋଗ କରିଛି ଭାଷା ଆନ୍ଦୋଳନ। ଭାଷା ଆନ୍ଦୋଳନ ସଭାପତି ତଥା ଓଡ଼ିଶା ନାଗରିକ ମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଏଭଳି ଆଚରଣକୁ ନିନ୍ଦା କରିବା ସହ କେନ୍ଦ୍ର ସାହିତ୍ୟ ଏକାଡ଼େମି ଶୀଘ୍ର ତ୍ରୁଟି ସଂଶୋଧନ କରିବା ସହ ଓଡ଼ିଆ ଜାତି ନିକଟରେ କ୍ଷମା ଭିକ୍ଷା କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଅବଗତ କରାଯାଇଛି ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରାଯାଇଛି ବୋଲି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ କହିଛନ୍ତି।