ଓଡ଼ିଆ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରକୁ ସର୍ବଭାରତୀୟ ସଫଳତା: ଚିତ୍ରଭାରତୀ ସମ୍ମାନ ପାଇଲା ‘ଶ୍ରୀକ୍ଷେତ୍ରରୁ ସାହିଜାତ’

କଟକ ଅଫିସ,୨୫ା୨- ଓଡ଼ିଆ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ‘ଶ୍ରୀକ୍ଷେତ୍ରରୁ ସାହିଜାତ’ ସର୍ବଭାରତୀୟ ସ୍ତରରେ ସଫଳତା ହାସଲ କରିଛି। ଏହି ଚଳଚ୍ଚିତ୍ରକୁ ମିଳିଛି ମର୍ଯ୍ୟାଦାଜନକ ‘ଚିତ୍ରଭାରତୀ ସମ୍ମାନ’। ଗୁଜରାଟର ଅହମ୍ମଦାବାଦ୍‌ଠାରେ ଗତ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଚିତ୍ର ଭାରତୀ ସିନେ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶାର ଏହି ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ପ୍ରଥମ ସ୍ଥାନ ହାସଲ କରିଛି। ଫଳରେ ଏହି ଚଳଚ୍ଚିତ୍ରର ସଦସ୍ୟମାନଙ୍କୁ ବିଭିନ୍ନ ବର୍ଗରୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି।

ଓଡ଼ିଆ ମନୋରଞ୍ଜନ ଦୁନିଆ ପଛରେ ପଡ଼ିଛି ବୋଲି ଅଭିଯୋଗ ହେଉଥିବାବେଳେ ଏହାକୁ ଭୁଲ୍‌ ବୋଲି ପ୍ରମାଣିତ କରିଛନ୍ତି କେତେଜଣ ଯୁବ ପ୍ରତିଭା। ପୁରୀରେ ଜନ୍ମିତ ଆଶୁତୋଷ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ‘ଶ୍ରୀକ୍ଷେତ୍ରରୁ ସାହିଜାତ’ ନିର୍ମାଣ କରାଯାଇଛି। ୨୦୧୭ ଓ ୨୦୧୮ ମସିହାରେ ଚଳଚ୍ଚିତ୍ରର ଦୃଶ୍ୟଗୁଡ଼ିକ ସୁଟିଂ କରାଯାଇଥିଲା। ସାହିଜାତ ପରମ୍ପରାର ଦୃଶ୍ୟଗୁଡ଼ିକ ହିଁ ଚଳଚ୍ଚିତ୍ରର ପୃଷ୍ଠଭୂମି। ରାବଣ, ପର୍ଶୁରାମ, ନାଗା ଭଳି ଅନେକ ଚରିତ୍ର ସିନେମାରେ ପ୍ରଦର୍ଶନ କରାଯାଇଛି। ଭିଡ଼ ଭିତରେ ରହି ସିନେମା ନିମନ୍ତେ ଉପଯୋଗୀ ସଟ୍‌ ନେବା କଷ୍ଟକର ଥିଲା ବୋଲି ନିର୍ଦ୍ଦେଶକ ଆଶୁତୋଷ କହିଛନ୍ତି। ଏହି ସିନେମା ୧୯ମିନିଟ ୨୫ ସେକେଣ୍ଡ ବିଶିଷ୍ଟ। ଭୁବନେଶ୍ୱରର ସୌମ୍ୟ ମହାନ୍ତି ଚିତ୍ରୋତ୍ତୋଳନ ଦାୟିତ୍ୱରେ ଥିବାବେଳେ କଟକର ବିଶ୍ୱଜିତ ପାଇଟାଲ୍‌ ସମ୍ପାଦନା ଓ ପାରଗ ବେହେରା ସାଉଣ୍ଡ ଡିଜାଇନ୍‌ ଦାୟିତ୍ୱ ତୁଲାଇଥିଲେ। ଉତ୍ସବରେ ଦେଶର ମୋଟ୍‌ ୪୩୫ ଚଳଚ୍ଚିତ୍ର ପ୍ରତିଯୋଗିତାକୁ ଓହ୍ଲାଇଥିଲା। ପରେ ୨୩ଟି ଚଳଚ୍ଚିତ୍ର ୬ଟି ବିଭାଗରେ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲା। ଏଥି ମଧ୍ୟରୁ ‘ଶ୍ରୀକ୍ଷେତ୍ରରୁ ସାହିଜାତ’ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି।