ଓଡଗାଁ ଏନ୍‌ଏସି: ଜବରଦଖଲରେ ସରକାରୀ ଜମି, ରାସ୍ତା

ଓଡ଼ଗାଁ,୨୪ା୧୦(ସ୍ବ.ପ୍ର.): ଓଡ଼ଗାଁ ଏନ୍‌ଏସି ଅଞ୍ଚଳରେ ଦିନକୁ ଦିନ ଘରୋଇ ଜାଗାବାଡି କିଣାବିକାରେ ଅହେତୁକ ଦଲାଲି ବୃଦ୍ଧି ପାଇଛି। ଏଥିଯୋଗୁ ସରକାରୀ ଜାଗାବାଡି, ରାସ୍ତା ପାର୍ଶ୍ୱ, ସରକାରୀ ଅଫିସ ଓ କଲେଜ ସଂଲଗ୍ନ ବହୁ ମୂଲ୍ୟବାନ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଉଛି। ଏପରି କି ସରକାରୀ ବାବୁଙ୍କ ଅଣଦେଖାରୁ ସେମାନେ ରାତାରାତି ପକ୍କା ଦୋକାନ ଘର ତୋଳିବାରେ ସମର୍ଥ ହେଉଛନ୍ତି। ଅନ୍ୟପକ୍ଷେ ପରିବା ବଜାରରେ ଏନ୍‌ଏସି ତରଫରୁ ଆବଣ୍ଟନ ହୋଇଥିବା ବହୁ ଦୋକାନ ଘର ଅବ୍ୟବହୃତ ହୋଇପଡିରହୁଛି। ଫଳରେ ପାର୍କିଂ ପାଇଁ ଉଦ୍ଦିଷ୍ଟ ଖାଲି ସ୍ଥାନରେ ଲୋକେ ବାଇକ୍‌ କିମ୍ବା ସାଇକେଲଟିଏ ରଖିବାକୁ ସ୍ଥାନାଭାବ ଦେଖାଦେଇଛି। ଏହା ସହିତ ବସ୍‌ଷ୍ଟାଣ୍ଡ ନିମନ୍ତେ ଉଦ୍ଦିଷ୍ଟ ସ୍ଥାନକୁ ଜବରଦଖଲ କରାଯାଇ ବହୁ ଦୋକାନ ଘର କରାଯାଇଥିବାରୁ ଯାନବାହନ ପ୍ରବେଶ କରିବାରେ ଘୋର ଅସୁବିଧା ସୃଷ୍ଟି ହେଉଛି। କଲେଜ ସାମ୍‌ନାରେ ବହୁ ଜଙ୍ଗଲ କିସମ ଜମି ତଥା ପ୍ରାକୃତିକ ନାଳକୁ କେତେକ ଜବରଦଖଲକାରୀ ପୋତି ପକ୍କା ଘର ନିର୍ମାଣ କରିଛନ୍ତି। ଅନୁରୂପ ଭାବେ କ୍ଷୁଦ୍ର ଜଳ ସେଚନ ଅନୁବିଭାଗ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଚେରି ତଥା ୨୧ ନମ୍ବର ରାଜ୍ୟ ରାଜପଥକୁ ଲାଗି ରହିଥିବା ଖାଲି ସ୍ଥାନରେ କେତେକ ଜବରଦଖଲକାରୀ ଦୋକାନ ଘର ନିର୍ମାଣ କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ଏ ନେଇ ଏନ୍‌ଏସି ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଅପେକ୍ଷା କରନ୍ତୁ ସବୁ ସଫା ହୋଇଯିବେ ବୋଲି ମତ ରଖିଥିଲେ। ବିଭାଗୀୟ ସହକାରୀ ଯନ୍ତ୍ରୀ କମ୍ପାନୀ ବେହେରାଙ୍କୁ ପଚାରିବାରୁ ସେ ସମ୍ପୃକ୍ତ ଜବରଦଖଲକାରୀଙ୍କୁ ଘର ନ କରିବା ନିମନ୍ତେ ତାଗିଦ୍‌ କରିଥିବା କହିଛନ୍ତି। ଅନ୍ୟପକ୍ଷେ ବିଗତ ଦିନରେ ନୟାଗଡ଼ ଉପଜିଲାପାଳ, ତହସିଲଦାର ଓ ନିର୍ବାହୀ ଅଧିକାରୀ ସ୍ଥାନୀୟ ପୋଲିସ ସହାୟତାରେ ସରକାରୀ ପଲିଟେକ୍‌ନିକ ଓ ବ୍ଲକ ଛକରେ ଥିବା ତିନୋଟି ଦୋକାନ ଘରକୁ ଜେସିବି ସାହାଯ୍ୟରେ ଭାଙ୍ଗି ଦେଇଥିଲେ। ଏପରି କି ଏକ ସରକାରୀ ଜାଗାରେ ସ୍ଥାନୀୟ ହସ କ୍ଲବ ଦ୍ୱାରା ନିର୍ମାଣ କରାଯାଇଥିବା ପତାକା ପୋଷ୍ଟକୁ ମଧ୍ୟ ଭାଙ୍ଗିଦିଆଯାଇଥିଲା। ବର୍ତ୍ତମାନ ପତାକା ପୋଷ୍ଟ ବ୍ୟତୀୟ ଅନ୍ୟ ସବୁ ଦୋକାନ ଜବରଦଖଲକାରୀଙ୍କ ଦ୍ୱାରା ପୂର୍ବବତ୍‌ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି। ଏ ଦିଗରେ ଜିଲାପାଳ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।