ଐତିହ୍ୟସ୍ଥଳୀର ସୁରକ୍ଷା, ମୂର୍ତ୍ତି ଚୋରି ର଼୍ୟାକେଟ୍‌ ସନ୍ଧାନ ନେଇ ଦାବିପତ୍ର

ଭଦ୍ରକ ଅଫିସ, ୧୭।୭: ଭଦ୍ରକ ଜିଲାର ପ୍ରସିଦ୍ଧ ଐତିହ୍ୟସ୍ଥଳୀରୁ ଗତ କିଛିବର୍ଷ ଧରି ଦୁର୍ଲଭ ଭାସ୍କର୍ଯ୍ୟରାଜି ମୂର୍ତ୍ତି ଚୋରି ହେବାରେ ଲାଗିଛି। ଏହାମଧ୍ୟରେ ଜଣେ ମଧ୍ୟ ଚୋରକୁ ଧରିବାରେ ଜିଲା ପୋଲିସ ସକ୍ଷମ ହୋଇପାରି ନାହିଁ। ବୁଧବାର ଭଦ୍ରକ ଇନ୍‌ଟାକ୍‌ ଚାପ୍ଟରର କର୍ମକର୍ତ୍ତା ଜିଲାପାଳ ଓ ଏସ୍‌ପିଙ୍କୁ ଭେଟି ଏହିସବୁ ପୀଠର ସୁରକ୍ଷା ସହ ମୂର୍ତ୍ତି ଚୋରି ର଼୍ୟାକେଟ୍‌ ସନ୍ଧାନ କରିବା ପାଇଁ ଦାବି ଜଣାଇଛନ୍ତି। ଏ ନେଇ ସେମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଉଲ୍ଲେଖନୀୟ ଯେ, ଗତ ୪ ତାରିଖରେ ବୌଦ୍ଧବିହାର ଷୋଳମପୁରର ରଘୁନାଥଜୀଉ ମନ୍ଦିରରୁ ଦିନ ଦ୍ୱିପ୍ରହରରେ ଏକ ବୁଦ୍ଧ ମୂର୍ତ୍ତି ପୁନର୍ବାର ଚୋରି ହୋଇଯାଇଛି। ୨୦୧୫ ମେ ୨୫ରେ ପାଳିଆବିନ୍ଧାସ୍ଥିତ ବିରଞ୍ଚିନାରାୟଣ ମନ୍ଦିରରୁ ଏକ ବିଶାଳ ଦଶଭୁଜା ମହିଷାମର୍ଦ୍ଦିନୀ ମୂର୍ତ୍ତି, ୨୦୧୬ ଜାନୁୟାରୀ ୧୪ରେ ଦଇସିଂ(କାଉପୁର) ଗ୍ରାମରୁ ୩.୫ ଫୁଟ ଉଚ୍ଚତା ବିଶିଷ୍ଟ ତାରାମୂର୍ତ୍ତି, ସେହିବର୍ଷ ଜୁଲାଇ ୧୭ରେ ଷୋଳମପୁର ଗ୍ରାମରୁ ୨ଟି ବୁଦ୍ଧ ମୂର୍ତ୍ତି ଚୋରି ହୋଇଥିଲା। କୌଣସି ଗୋଟିଏ ଘଟଣାରେ ସମ୍ପୃକ୍ତ ଚୋରଙ୍କୁ ପୋଲିସ ଧରିପାରି ନାହିଁ। ଇନ୍‌ଟାକ୍‌ ଚାପ୍ଟରର ସଦସ୍ୟ ଦିଗମ୍ବର ମହାନ୍ତି, ଭାଗବତ ତ୍ରିପାଠୀ, ବିଜୟ କୁମାର ମହାନ୍ତି, ବିମ୍ବାଧର ବ୍ରହ୍ମ, ଚିତ୍ତରଞ୍ଜନ ବରାଳ, କାର୍ତ୍ତିକ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।